ଆଗକୁ ଲୋକସଭା ନିର୍ବାଚନ। ମତଦାନକୁ ନିଜ ଆଡକୁ ନେବାପାଇଁ ରାଜନୀତି ଦଳ ମାନେ ଜୋରସୋର୍ରେ ପ୍ରଚାର ଆରମ୍ଭ କଲେଣି । ଆସନ୍ତା ଏପ୍ରିଲ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ତେବେ ନିର୍ବାଚନ ପୂର୍ବରୁ ଜବତ ହୋଇଛି କୋଟି କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ ହୋଇଛି ବୋଲି କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି, ଯାହା ଭାରତ ନିର୍ବାଚନ ଇତିହାସରେ ପ୍ରଥମ ଘଟଣା ଅଟେ ।
ନିର୍ବାଚନରେ ଟଙ୍କାକାରବାର ପ୍ରଭାବ ରୋକିବା ପାଇଁ ମାର୍ଚ୍ଚ ୧ ତାରିଖରୁ ଚଢ଼ାଉ ଚାଲିଛି। ପ୍ରତି ଦିନ ହାରାହାରି ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହେଉଛି। ପ୍ରବର୍ତ୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍ ସର୍ଭେଲାନ୍ସ ଟିମ୍ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି। ପ୍ରତି ଚେକ୍ ପୋଷ୍ଟରେ ଚେକିଂ ହେଉଛି। ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବା ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ ହୋଇ ସାରିଲାଣି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ଜବତ ହୋଇଥିବା ଟଙ୍କା ଠାରୁ ଢ଼େର ଅଧିକ ବୋଲି ନିର୍ବାଚନ କମିଶନର କହିଛନ୍ତି।
କେବଳ ସେତିକି ନୁହେଁ ନିର୍ବାଚନ ବେଳେ ଯେପରି ଟଙ୍କା ବଣ୍ଟନ, ମଦ ଓ ମାଗଣାରେ ଜିନିଷ ବଣ୍ଟନ ଓ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି। ଏଥିପ୍ରତି ଅଧିକାରୀମାନେ କଡା ନଜର ରଖିଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।
ଜବତ ହୋଇଥିବା ୪୬୫୦ କୋଟି ଧନ ମଧ୍ୟରେ ରହିଛି ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା ସୂଚନା ମିଳିଛି ।