ପଞ୍ଜାବ, ମାର୍ଚ୍ଚ ୧୦(ଖବର ଓଡ଼ିଶା): ପୁଣି ପଛରେ ପଡିଲା କଂଗ୍ରେସ । ହାତରୁ ଗଲା ଆଉ ଏକ ରାଜ୍ୟ। ଆଜି ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କଂଗ୍ରେସର ଗଡ କୁହାଯାଉଥିବା ପଞ୍ଜାବରେ ଏଥର ବାଜି ମାରିଛି କେଜ୍ରିୱାଲଙ୍କ ଆପ୍ ଦଳ । ‘ଆପ୍ କା ପଞ୍ଜାବ’ ନାରା ପଞ୍ଜାବରେ କଂଗ୍ରେସକୁ କ୍ଲିନ୍ ସୁଇପ୍ କରି ଦେଇଛି ।
ଏଭଳି ସ୍ଥିତିରେ ପଞ୍ଜାବ କଂଗ୍ରେସ ଏବେ ଅସନ୍ତୋଷ ବୃଦ୍ଧି ପାଇଛି । ହାଇକମାଣ୍ଡଙ୍କ ସବୁ ରଣନୀତି ଫେଲ ମାରିବା ପରେ ଦଳରେ ଏବେ ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରାଜେନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ପଞ୍ଜାବରେ କଂଗ୍ରେସର ସ୍ଥିତି ଭଳ ରହିଥିଲେ ବି ଏଭଳି ପରାଜୟ ପାଇଁ ହାଇକମାଣ୍ଡଙ୍କ ନିଷ୍ପତିକୁ ଦାୟୀ କରିଛନ୍ତି ଦଳୀୟ କର୍ମୀ । ଏଥିସହ ସେ କ୍ୟାପ୍େଟନ ଅମରିନ୍ଦର ସିଂହଙ୍କୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଓ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା କଂଗ୍ରେସ ପାଇଁ ଏବେ ବୁମେରାଂ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ମତ ରତ୍କଛନ୍ତି ।
ଏପଟେ ଦଳୀୟ ନେତାମାନେ ପରିବର୍ତ୍ତନ କଥା କହୁଥିଲେ ହେଁ ହାଇକମାଣ୍ଡଙ୍କ ପକ୍ଷରୁ ଏଯାଏ କୌଣସି ପ୍ରକାରର ବଡ଼ ପଦକ୍ଷେପ ଗ୍ରହଣ କରାଯାଇନି । ହାଇକମାଣ୍ଡଙ୍କ ନୀରବତା ରାଜନୀତିକ ପଣ୍ଡିତମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।
ତେବେ କଂଗ୍ରେସ ହାଇକମାଣ୍ଡଙ୍କ ଏଭଳି ମନୋଭାବ ଜାରି ରହିଲେ କଂଗ୍ରେସ ୨୦୨୩ ବିଧାନସଭା ଓ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ ନାହିଁ ବୋଲି ସ୍ପଷ୍ଟ ବାରି ହୋଇ ପଡୁଛି ।