ବନ୍ୟ ପ୍ରାଣୀ ଶିକାର ପାଇଁ ଜଙ୍ଗଲେ ଲଗାଉଛନ୍ତି ନିଆଁ । ବନ ବିଭାଗର ସଚେତନାତା ସତ୍ତ୍ୱେ ଲୋକଙ୍କ ମୁଣ୍ତେରେ ଚେତା ପସୁନି ଲୋକେ ସଚେତନ ହେଉ ନାହାଁନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିବା ପରେ ଦାରିଙ୍ଗବାଡି ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଜୀବଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲରେ ନିଆଁ ଲାଗାଇ 3 ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ନେଇ ଏସିଏଫ୍ ପ୍ରଫୁଲ୍ଲ ମଲ୍କିକ୍ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଦାରିଙ୍ଗବାଡ଼ି ବନାଞ୍ଚଳ ଋତୁଙ୍ଗିଆ ଅନ୍ତର୍ଗତ ସିର୍ସି ପାଙ୍ଗା ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିବା ନେଇ ସାଟେଲାଇଟ୍ ମାଧ୍ୟମରେ ସୂଚନା ମିଳିଥିଲା । ଖବର ପାଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ତଥା ବାଲିଗୁଡା ଏସିଏଫ ସତୀଶ କୁମାର ଧାରୁଆଙ୍କ ନେତୃତ୍ୱରେ ବୁଡ଼ାଗୁଡ଼ା ବନବିଭାଗ ରାତି ପ୍ରାୟ ୧୧ଟାରେ ନିଆଁ ଲିଭାଇବାକୁ ଯାଇଥିଲେ । ସେହି ସମୟରେ ନିଆଁ ଲଗାଇ ଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲ ଭିତରେ ଥିବା ୩ ଜଣ ଦୁର୍ବୁତ୍ତଙ୍କୁ ବନ ବିଭାଗ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ । ସେମାନଙ୍କଠାରୁ ଗୋଟିଏ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ନିଆଁ ଲଗାଇବା ପାଇଁ ଦିଆସିଲି ସମେତ ଦୁଇଟି ମୋବାଇଲ, ଦୁଇଟି ଟର୍ଚ୍ଚ ଲାଇଟ, ବାଟଲି ଖଡ଼ା ଆଦି ଜବତ ହୋଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ, ଅକ୍ଷୟ ପ୍ରଧାନ, କୁନ୍ଦୁପାଙ୍ଗା ଗ୍ରାମର ରାଜେଶ ପ୍ରଧାନ । ଏସିଏଫ ମଲ୍ଲିକ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତେବେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିଛି ।
ଅଧିକା ପଢନ୍ତୁ: ଥମୁନି ଶିମିଳିପାଳ ନିଆଁ