କେନ୍ଦ୍ରାପଡ଼ା: ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି । ସିଡିପିଓଙ୍କ ମାନସିକ ନିର୍ଯ୍ୟାତନାରେ କନିଷ୍ଠ କିରାଣୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ କାର୍ଯ୍ୟରତ କନିଷ୍ଠ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ।
ଅଭିଯୋଗ ମୁତାବକ, ଡେରାବିଶ ବ୍ଲକରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ ଭାବେ କାମ କରନ୍ତି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର । ସିଡିପିଓ ସ୍ନେହଲତା ସାହୁ ତଳିଆ କର୍ମଚାରୀଙ୍କୁ ଦୀର୍ଘ ୩ ବର୍ଷ ହେଲାଣି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତାଙ୍କ ଇସାରରେ କାମ କରିବାକୁ କର୍ମଚାରୀଙ୍କୁ ବାଧ୍ୟ କରୁଥିଲେ । ଏ ନେଇ କନିଷ୍ଠ କିରାଣୀ ଉପରସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । କିନ୍ତୁ କେହି କର୍ଣ୍ଣପାତ କରି ନ ଥିଲେ । ଆଉ ଏହି ନିର୍ଯ୍ୟାତନା ଚରମ ସୀମାରେ ପହଁଚିଥିଲା । ୭ ମାସର ଗର୍ଭବତୀ ଥିବା କନିଷ୍ଠ କିରାଣୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କାର୍ଯ୍ୟାଳୟରେ କୌଣସି କଥାକୁ ନେଇ ଅତ୍ୟନ୍ତ ଅସଭ୍ୟ ଭାଷାରେ ପୁଣି ଗାଳି କରିଥିଲେ ସିଡିପିଓ ମାଡ଼ାମ । ଆଉ ଏହା ଅସହ୍ୟ ହୋଇ ପଡ଼ିଥିଲା । ଶେଷରେ ଚେତା ହରାଇ ପଡ଼ିଯାଇଥିଲେ କନିଷ୍ଠ କିରାଣୀ । ଜଣେ ମହିଳା ହୋଇ ମଧ୍ୟ ମହିଳାଙ୍କ ପ୍ରତି ଦରଦ ଦେଖାଇ ନ ଥିଲେ ସିଡିପିଓ ମାଡାମ୍ । ଏମିତିକି ତାଙ୍କୁ ମେଡ଼ିକାଲ ବି ନେଇ ନ ଥିଲେ ।
କନିଷ୍ଠ କିରାଣୀଙ୍କ ପରିବାର ଲୋକ କାର୍ଯ୍ୟାଳୟରେ ପହଁଚିବା ପରେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଏମିତି ତାଙ୍କ ମୋବାଇଲ ଫିଙ୍ଗି ଦେବା ସହିତ ହାତ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା କରିଥିଲେ । ଶକ୍ତ ଆଘାତ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ସେ କହିଛନ୍ତି ଡାକ୍ତର ।
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି ବିଡ଼ିଓ ଅନିରୁଦ୍ଧ ବେହେରା । ସକାଳେ ହିଁ ଘଟଣା ସମ୍ପର୍କରେ ଜାଣିଲି । ତଦନ୍ତ ପରେ ପ୍ରକୃତ ଘଟଣା ବିଷୟରେ ଜଣା ପଡ଼ିବ ବୋଲି ବିଡ଼ିଓ କହିଛନ୍ତି ।