ପୁରୀ, ଡିସେମ୍ବର ୦୬ (ଖବର ଓଡ଼ିଶା):
ମହାମାରୀ କରୋନା କାଳରେ ଆୟୋଜିତ ହୋଇଥିବା ୩୧ ତମ କୋଣାର୍କ ମହୋତ୍ସବ ଉଦ୍ଯାପିତ ହୋଇ ଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଓଡିଶୀ ଶୈଳୀରେ କଥକ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଛି। ଏହା ସହିତ ନୂଆଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ଦ୍ୱାରା କଥକ ଶୈଳୀରେ ଗଣେଶ ବନ୍ଦନା, ସଂଗୀତ ସଂଯୋଜନାରେ ଗଙ୍ଗା ଯମୁନା ସରସ୍ଵତୀ ତ୍ରିବେଣୀ ଗାୟନ ଓ ବାଦନରେ କଥକ ନୃତ୍ୟ ପ୍ରେମ ପ୍ରଦର୍ଶିତ ହୋଇଥିଲା।
ଶେଷ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପ୍ରମୁଖ ଶାସନ ସଚିବ ଏବଂ ପର୍ଯ୍ୟଟନ ସଚିବ ଯୋଗଦେଇଥିଲେ। ଅନ୍ୟପଟେ ଚନ୍ଦ୍ରଭାଗା ସ୍ଵର୍ଣ୍ଣାଭ ବେଳାଭୂମିରେ ପାଞ୍ଚ ଦିନ ଚାଲୁଥିବା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଯାପିତ ହୋଇଛି।
ପଞ୍ଚମ ଦିନରେ ବାଲୁକା ରାଶିରେ ବିଶ୍ଵ ଐତିହ୍ୟ, ପର୍ଯ୍ୟଟନ, ଓଡିଶୀ ନୃତ୍ୟ ଓ କରୋନା ସଚେତନତା ଆଦି ଉପରେ ସଚେତନତା ବାର୍ତ୍ତା ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ବାଲୁକା କଳା ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ୭୨ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ।