ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା BHS ମାନ୍ୟତା । ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍ ବା ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ପାଇଲା ବଲାଙ୍ଗୀର ଓ ବରଗଡ଼ ଫରେଷ୍ଟ ଡିଭିଜିନର ଗନ୍ଧମାର୍ଦ୍ଦନ ପର୍ବତ । ରାଜ୍ୟର ତୃତୀୟ BHS ମାନ୍ୟତା ପାଇଛି ଗନ୍ଧମାର୍ଦ୍ଦନ । କାରଣ ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିଛି BHS ମାନ୍ୟତା । କାହିଁ କେଉଁ କାଳରୁ ଏହି ପାହାଡ଼ରେ ଆୟୁବୈଦିକ ଔଷଧୀୟ ଗଛ ସହିତ ଶହ ଶହ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ରହିଛି। ତେବେ ଗନ୍ଧମାର୍ଦ୍ଦନରେ ୧ ହଜାର ୫୫ ପ୍ରକାର ବୃକ୍ଷ ପ୍ରଜାତି ରହିଥିବାବେଳେ ୮୪୯ ପ୍ରଜାତିର ଆଞ୍ଜିଓସ୍ପର୍ମ, ୫୬ ପ୍ରକାର ଟେରିଡୋଫାଇଟ, ୪୦ ପ୍ରକାର ବ୍ରାୟୋଫାଇଟ, ୪୫ ପ୍ରକାର ଲାଇକେନ, ୨ ପ୍ରକାର ଜିମନୋସ୍ପର୍ମ ରହିଛି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଆହୁରି ଅନେକ କିଛି ରହିଛି ଗନ୍ଧମାର୍ଦ୍ଧନ ପର୍ବତ ଦେଶରେ ଓ ୫୦୦ ପ୍ରଜାତିର ପ୍ରାଣୀଙ୍କ ଅଭୟସ୍ଥଳୀ ହେଉଛି ଗନ୍ଧମାର୍ଦ୍ଦନ । ତନ୍ମଧ୍ୟରେ ଅଛନ୍ତି ୪୩ ପ୍ରକାର ସ୍ତନ୍ୟପାୟୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାର ଉଭୟଚର, ୨୭ ପ୍ରକାର ଡ୍ରାଗନଫ୍ଲାଏ ବାସ କରୁଛନ୍ତି । ସେହପିର ୮୩ ପ୍ରଜାତିର ସ୍ପାଇଡର ବି ଗନ୍ଧମାର୍ଦ୍ଦନରେ ରହିଛନ୍ତି । ତେବେ ଏହାକୁ ‘ଆୟୁର୍ବେଦର ସ୍ୱର୍ଗ’ ଭାବେ ସ୍ଥାନୀୟ ଲୋକେ ଗ୍ରହଣ କରୁଥିବା ବେଳେ ଅନେକ ରୋଗର ମୁକ୍ତି ପାଇଁ ଏଠାରୁ ଔଷଧ ସଂଗ୍ରହ କରୁଥିବା କହିଛନ୍ତି ଓ ଦିଶାରୀମାନେ ଏଠାରୁ ବିଭିନ୍ନ ଗଛ ଲତା ଆଣି ଲୋକଙ୍କ ଚିକିତ୍ସାରେ ଲଗାଉଛନ୍ତି।