ସୌନ୍ଦର୍ଯ୍ୟର ରାଣୀ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ
Khabar Odisha:Gandahati-Waterfall-in-Gajapati
ଗଜପତି : 19/12/2022

ଗଣ୍ଡାହାତୀ, ଅପୂର୍ବ ସୌନ୍ଦର୍ଯ୍ୟ ସହ ଚିକମିକ ଝରଣା ପାଣିରେ ଖୁବ୍ ସୁନ୍ଦର ଦିଶୁଛି ପ୍ରକୃତିରାଣୀ | ଚତୁର୍ଦିଗ ସବୁଜିମାରେ ମନ ମୋହୁଛି ପ୍ରକୃତି ରାଣୀ | ତେବେ ପିକନିକ ଋତୁରେ ପରିବାର ସହ କିଛି ସମୟ ବିତେଇବା ପାଇଁ ଲୋକେ ପ୍ରାକୃତିକ ସୌନ୍ଦର୍ଯ୍ୟ ପୁର୍ଣ ଅଂଚଳକୁ ଖୁବ୍ ପସନ୍ଦ କରୁଥିବା ବେଳେ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି | ମନଲୋଭା ଝରଣା ସହିତ ବଡ ବଡ ପାହାଡଘେରା ପରିବେଶ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ | ତେବେ ଚାଲନ୍ତୁ ଏଥର ପର୍ଯ୍ୟଟନ ସ୍ଥଳୀରେ ବୁଲିଯିବା ଗଣ୍ଡାହାତୀ ଜଳପ୍ରପାତକୁ |

ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ | ବଡ଼ବଡ଼ ପାହାଡ ସୁନ୍ଦର ଜଳପ୍ରପାତ ସହ ଝରଣାର ଆକର୍ଷଣ ଏଠାକୁ ଟାଣି ଆଣେ ପର୍ଯ୍ୟଟକଙ୍କୁ | କୋଳାହଳଠୁ ବେସ୍ ଦୂରରେ ଥିବା ଏହି ସ୍ଥାନର ରହିଛି ସ୍ୱତନ୍ତ୍ର ପରିଚୟ | ପାହାଡ ଖୋଲରେ ବସି ଥଣ୍ଡାପାଣିରେ ଗାଧୋଈବାର ମଜାହିଁ ଏଠି ନିଆରା | ଖାସ୍ ଏହି ସବୁ ନିଆରା ଆକର୍ଷଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସନ୍ତି ଅନେକ ପର୍ଯ୍ୟଟକ | ସେଲଫି ଉଠାଇବା ସହ ନିଜ ପ୍ରିୟଜନଙ୍କ ସହ ସମୟ ବିତେଇବା ପାଇଁ ଏଠାରେ କେବଳ ପିକନିକ ଋତୁରେ ନୁଁହ ବରଂ ବର୍ଷର ସବୁ ସମୟରେ ଜମେ ଭିଡ | ଗଜପତି ଜିଲ୍ଲାରେ 5ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଗଣ୍ଡାହାତୀ ଜଳପ୍ରପାତ ଅନ୍ୟତମ ହୋଇଥିବା ବେଳେ ଏହାର ବିକାଶ ପାଇଁ ସରକାରଙ୍କ ତରଫରୁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି | ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଣ୍ଡାହାତୀ ଜଳପ୍ରପାତର ସ୍ୱତନ୍ତ୍ରତା ପାଇଁ ବର୍ଷ କୁ ବର୍ଷ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | 

ଗଣ୍ଡାହାତୀ ଜଳପ୍ରପାତ ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ। ଏହା ପାରଳାଖେମୁଣ୍ଡି ଠାରୁ 30 କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ଉଭୟ ରେଳ ଏବଂ ସଡକ ଦ୍ୱାରା ପହଞ୍ଚିପାରିବ | ରାଜଧାନୀ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ସହର ପ୍ରାୟ 280 କିଲୋମିଟର ଦୂରରେ ଅବସ୍ଥିତ |  ଏହି ଜଳପ୍ରପାତ ପିକନିକ୍ ପାଇଁ ମଧ୍ୟ ଏକ ଉତ୍କୃଷ୍ଟ ସ୍ଥାନ । ତେଣୁ ଏଠାରେ ଥିବା ବିଭିନ୍ନ ପିକନିକ ସ୍ପଟରେ ଏବେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ଆନ୍ଧ୍ର ଓ ଓଡ଼ିଶା ର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଠାରେ ଭୋଜିଭାତ କରୁଛନ୍ତି । ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

Subscribe

National International State Sports Entertainment