ଢେଙ୍କାନାଳ: ଢେଙ୍କାନାଳରେ ମାଞ୍ଜା ସୂତା ଲାଗି ଜଣେ ଗୁରୁତର ଆହତ ହୋଇଛନ୍ତି । ଟାଉନ ଥାନା ଅନ୍ତର୍ଗତ ମୀନାବଜାର ନିକଟରେ ଏଭଳି ଅଘଟଣ ଘଟିଛି । ମାଞ୍ଜା ସୂତା ଲାଗି ଯୁବକଙ୍କ ନାକ ଓ ଆଙ୍ଗୁଠି କଟି ଯାଇଛି । ପ୍ରଥମେ ନାକରେ ମାଞ୍ଜା ସୂତା ଲାଗି କଟି ଯାଇଥିଲା । ସେ ସୂତାକୁ ବାହାର କରିବା ସମୟରେ ହାତର ଆଙ୍ଗୁଠି ମଧ୍ୟ କଟି ଯାଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ପଛରେ ଆସୁଥିବା ବ୍ରହ୍ମାନନ୍ଦ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଖବର ପାଇବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ପୋଲିସ ପ୍ରଶାସନର କଟକଣାକୁ ଫୁ କରି ମୀନାବଜାର, ବସ୍ ଷ୍ଟାଣ୍ଡ୍, ଖମାର ସାହି, ଦକ୍ଷିଣକାଳୀ ଆଦି ସ୍ଥାନରେ ଖୋଲାଖୋଲି ଭାବେ ମାଞ୍ଜା ସୂତା ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।
ସେପଟେ ଭୁବନେଶ୍ୱରରେ ବିଭିନ୍ନ ମାର୍କେଟରେ କମିଶନରେଟ୍ ପୋଲିସ ପକ୍ଷରୁ ଘନ ଘନ ଚଢ଼ଉ କରାଯାଉଛି । ଡିସିପିଙ୍କ ନିର୍ଦ୍ଦେଶରେ ଏକ ନମ୍ବର ମାର୍କେଟରେ ଚଢ଼ଉ ହୋଇଛି । ଅମାନିଆ ଦୋକାନୀଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।