ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁଳିମାଡ ହୋଇଛି। ପାର୍ବଣ ପରେ ରାଜଧାନୀରେ ଅପରାଧୀଙ୍କ ବନ୍ଧୁକ ଗର୍ଜିଛି। ଭୁବନେଶ୍ୱର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଦୁଇଜଣ ଗୁରୁତର ହୋଇଛନ୍ତି।
ସୂଚନା ମୁତାବିକ ରବିବାର ରାତି ପାଖାପାଖି ସାଢ଼େ ୮ଟା ବେଳେ ଏହି ଗୁଳିକାଣ୍ଡ ଘଟିଛି। ଭାଇଭାଇ ଆଶ୍ରମରେ ରହୁଥିବା ଅଜୟ ପରିବା କିଣିବା ପାଇଁ ବାହାରକୁ ଆସୁଥିଲେ। ଅନ୍ୟମାନେ ଆଶ୍ରମରେ ବସିଥାଆନ୍ତି। ଏହି ସମୟରେ ୩ଟି ବାଇକ୍ରେ ୬ଜଣ ଯୁବକ ଆସି ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଚକ୍କର କାଟିଥିଲେ। ଅଜୟ ସେମାନଙ୍କୁ ଦେଖୁଥିଲେ ବି ଅଜଣା ଲୋକ ହୋଇଥିବାରୁ କିଛି କହି ନଥିଲେ। ଏହା ପରେ ଜଣେ ଯୁବକ ହଠାତ୍ ଆଶ୍ରମ ଉପରକୁ ଗୁଳି ଚଳାଇଥିଲା।
ପ୍ରଥମ ଗୁଳିଟି ଅଜୟଙ୍କ ମୋବାଇଲ୍ରେ ବାଜି ପେଟରେ ଘସି ହୋଇଯାଇଥିଲା। ଗୁଳି ଶବ୍ଦ ଶୁଣି ସୋନୁ ଅଜୟଙ୍କ ପାଖକୁ ଧାଇଁ ଆସିଥିଲେ। ଦୁର୍ବୃତ୍ତଜଣକ ପୁଣି ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲା। ସୋନୁଙ୍କ ହାତ ଓ ଛାତିରେ ଗୁଳି ବାଜିଥିଲା। ଏହା ଦେଖି ଆଶ୍ରମରେ ଯିଏ ଯୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଥିଲେ। ମାତ୍ର ଏତିକିରେ ଅଟକି ନଥିଲେ ଦୁର୍ବୃତ୍ତ, ଗୋଡ଼ାଇ ଗୋଡ଼ାଇ ପାଖାପାଖି ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚଳାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପ୍ରାୟ ୫ ମିନିଟ୍ର ଏହି ଗୁଳିକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ୪ଟି ଖୋକା ଜବତ କରିଛି।
ଏହି ଗୁଳିକାଣ୍ଡରେ ଦେଉଳିଆପାଟଣା ଅଞ୍ଚଳର ସୁନୀଲ ବାରିକ ଓରପ୍ ସୋନୁ ଗୁରୁତର ହୋଇଥିବା ବେଳେ ଯାଜପୁର ଜିଲ୍ଲା ଅଞ୍ଚଳର ଅଶୋକ ମହାନ୍ତି ଓରଫ୍ ଅଜୟ ଆହତ ହୋଇଛନ୍ତି। ସୋନୁଙ୍କ ବାମ ହାତ ଓ ଛାତି ତଳେ ଦୁଇଟି ଗୁଳି ବାଜିଛି, ଅଜୟଙ୍କ ପେଟରେ ଗୋଟିଏ ଗୁଳି ବାଜିଛି। ଉଭୟଙ୍କୁ ପୁଲିସ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମିବାଡ଼ି ଜବରଦଖଲରୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା କୁହାଯାଉଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରହିଛି।