ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବ୍ୟାଙ୍କ୍ ଖାତାକୁ ଆସିବ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା । କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ସହାୟତା ରାଶି । ପୁରୀର ତାଳବଣିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳାଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ତେବେ ପୂର୍ବ ଘୋଷଣା ମୁତାବକ DBT ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ସରକାର । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ । ପୂର୍ବରୁ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ଲେଖାଏଁ ପାଇସାରିଥିବା ବେଳେ ଆଜି ଚତୁର୍ଥ କିସ୍ତି ପାଇବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା । ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା । ଏପ୍ରିଲ ମାସରେ ଯାହାକୁ ୨୧ ହେବ ସେମାନେ ସୁଭଦ୍ରାର ସାମିଲ୍ ହେବେ ଏବଂ ୬୦ ଟପିଲେ ପେନସନ୍ ଲିଷ୍ଟକୁ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।