ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଟ୍ରାକରେ ଗାଡ଼ି ଚାଲିବାକୁ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଥିବା ବିରୋଧି ବିଜୁ ଜନତା ଦଳକୁ ଆଜି କଡ଼ା ଜବାବ ଦେଇଛନ୍ତି ଖୋଦ୍ ସୂର୍ଯ୍ୟବଂଶୀ ସୂରଜ । ବିଜେଡ଼ିକୁ ପରିପକ୍ୱତାର ପାଠ ପଢ଼ାଇଛନ୍ତି ଶିକ୍ଷାମନ୍ତ୍ରୀ । ଷ୍ଟାଡିୟମ ପିଚରେ ଯେତେବେଳେ ହେଲିକପ୍ଟରେ ଲ୍ୟାଣ୍ଡ୍ କରୁଥିଲା ସେତେବେଳେ କେଉଁ ପ୍ରକାରର ପରିପକ୍ୱତା ଥିଲା ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ ।
ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଭୁଲକୁ ସ୍ୱୀକାର କରି କହିଛନ୍ତି, କଳିଙ୍ଗ ଷ୍ଟାଡିୟମ ଟ୍ରାକ୍ ରେ ଗାଡ଼ି ଯିବାଟା ସମ୍ପୂର୍ଣ୍ଣ ଭୁଲ ଅଟେ । କିନ୍ତୁ ଏକ ଅଭାବନୀୟ ସ୍ଥିତିରେ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା । କିନ୍ତୁ ବିଜେଡ଼ି ତାକୁ ଓଡ଼ିଶା ବାସୀଙ୍କୁ ଦେଖାଇବାକୁ ଚାହୁଁଛନ୍ତି ଯେ ସୂର୍ଯବଂଶୀ ସୂରଜଙ୍କର ଅପରିପକ୍ୱତା ରହିଛି । ମନ୍ତ୍ରୀ କହିଛନ୍ତି ମା ପେଟରୁ କେହି ପରିପକ୍ୱତା ଶିଖି ନ ଥାଆନ୍ତି । କିନ୍ତୁ ଯେତେବେଳେ ନିର୍ବାଚନ ସମୟରେ ଓଡ଼ିଶା ସାରା ଷ୍ଟାଡିୟମର ପିଚ୍ ଉପରେ ହେଲିକପ୍ଟର ଚଢ଼ାଉଥିଲେ ସେତେବେଳେ ପରିପକ୍ୱତା ଥିଲା । କଳିଙ୍ଗ ଷ୍ଟାଡିୟମକୁ କାହାକୁ ଛଡ଼ା ଯାଉ ନ ଥିଲା, କେବଳ ଗୋଟିଏ ଲୋକ ହିଁ ଯାଉଥିଲେ ଏବଂ ମସାଜ୍ ନେଉଥିଲେ ।
କିନ୍ତୁ ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି । ଆଜିରେ ଦିନରେ ପିଇବା ପାଣି ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହାଁନ୍ତି ସେଥିପାଇଁ ବିଜେଡ଼ି ଦାୟୀ । ତା ଉପରେ ଗଠନମୂଳକ ପ୍ରସ୍ତାବ ଦେଲେ ସମସ୍ୟାର ସମାଧାନ ହେବ । ବିଜେଡ଼ି କେବଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ।
ବିଜେଡ଼ିର ପ୍ରତିଷ୍ଠା ଦିବସରେ ମୁଷ୍ଟି ଯୁଦ୍ଧ ହୋଇଥିଲା । ଏହି ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏଭଳି ପ୍ରସଙ୍ଗ ଉଠାଇଛନ୍ତି । ସେହିପରି ଯେଉଁ ରୁବେନ୍ ବାନାର୍ଜୀ ଭଲ ଥିଲା ସିଏ ଯେବେଠାରୁ ପାଣ୍ଡୁ ଉପାଖ୍ୟାନ ବାହାର କଲେ ସେବେଠାରୁ ସିଏ ଖରାପ ।
ଯେଉଁ ଭୈରବାନନ୍ଦ ସନ୍ୟାସୀ ବାବାଙ୍କ କଥାରେ ଏମିତି ହେଉଛନ୍ତି ସେଇ ଲୋକ ବିଜେଡ଼ିକୁ ବୁଡ଼ାଇଦେଲା । ନବୀନ ନିବାସରେ ବସି ସେ ଦଳକୁ ବୁଡ଼ାଇଦେଲେ ଏବେ ବ୍ୟକ୍ତି ବିଶେଷଙ୍କୁ ବୁଡ଼ାଇ ଦେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ ଟ୍ରାକରେ ଶିକ୍ଷାମନ୍ତ୍ରୀଙ୍କ ଗାଡ଼ି ଚାଲିବାକୁ ନେଇ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ ।