ଭୁବନେଶ୍ୱର: ରାଜଧାନୀ ରାଜ ରାସ୍ତାରେ ବାରମ୍ବାର ମୋ ବସ ଘଟାଉଥିବା ଦୁର୍ଘଟଣାକୁ ନେଇ ଶୂନ୍ୟ କାଳରେ ଗୃହରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ବିଜେଡି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳରେ ମୋ ବସ୍ ପ୍ରସଙ୍ଗ ଉଠାଇଥିଲେ ବିଧାୟିକା ସୋଫିଆ । ସେ ପ୍ରଶ୍ନ କରିଥିଲେ ଯେ ଏହା ‘ମୋ ବସ ନା ମର୍ଡର ବସ’ । ମୋ ବସ ଡ୍ରାଇଭରଙ୍କ ଦକ୍ଷତା ପରୀକ୍ଷା ଠିକ ଭାବେ କରାଯାଉଛି ନା ନାହିଁ ବୋଲି ସୋଫିଆ ପ୍ରଶ୍ନ କରିଛନ୍ତି । ସେହିପରି ସମାନ ରାସ୍ତାରେ ଘରୋଇ ବସ କମ ଦୁର୍ଘଟଣା ଘଟାଉଥିବା ବେଳେ ମୋ ବସ ଦ୍ୱାରା କାହିଁକି ଅଧିକ ଦୁର୍ଘଟଣା ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କ୍ଷତି ଭରଣା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଭୁବନେଶ୍ୱର ପାତ୍ରପଡ଼ା ଛକରେ ମୋ ବସ୍ ଦୁର୍ଘଟଣାରେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଛି । ଗତକାଲି ଝିଅ ନନ୍ଦିନୀ ପ୍ରଧାନଙ୍କର ମୃତ୍ୟୁ ହୋଇଥିବାବେଳେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମାଆ ରାଜକୁମାରୀ ପ୍ରଧାନ ପ୍ରାଣ ହରାଇଛନ୍ତି । ଫୁଲବାଣୀ ଯିବାକୁ ରାସ୍ତା କଡ଼ରେ ବସ୍ କୁ ଅପେକ୍ଷା କରିଥିବାବେଳେ ମୋ ବସ୍ ଧକ୍କା ଦେଇଥିଲା । ସେହିପରି ଏହା ପୂର୍ବରୁ ଗତ କିଛି ଦିନ ତଳେ ନନ୍ଦନକାନନ-ପଟିଆ ରାସ୍ତା ରଘୁନାଥପୁର ନିକଟରେ ଜଣେ ନାବାଳିକା ମୋ ବସ୍ ଧକ୍କାରେ ପ୍ରାଣ ହରାଇଥିଲା । ଝିଅଟି ସାଇକେଲରେ ରାସ୍ତା ପାର ହେଉଥିବାବେଳେ ମୋ ବସ୍ ଧକ୍କା ଦେଇଥିଲା । ଆହୁରି ଏମିତି ଅନେକ ସାଧାରଣ ଜନତା ମୋ ବସ୍ ଧକ୍କାରେ ଆହତ ଓ ଗୁରୁତର ହୋଇଛନ୍ତି ।