ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ଘୋଟାଲାରେ ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ, କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂ ସେଣ୍ଟରରୁ ପଠାଯାଇଥିବା ଜଣାପଡ଼ିଛି।
କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରୁଛନ୍ତି ଏବଂ ଏହି ଘୋଟାଲାରେ ସେଣ୍ଟରର ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଡିଏସ୍ପି ବେହେରା କହିଛନ୍ତି, “ଆମେ ସୂଚନା ପାଇଛୁ ଯେ ‘ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିଲା। କେତେ ପରୀକ୍ଷାର୍ଥୀ ଏହି ସେଣ୍ଟର ସହ ଜଡ଼ିତ ଥିଲେ, ତାହା ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।”
ସୂଚନା ଅନୁଯାୟୀ, ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଛି। ବିଜୟନଗର ଯାଉଥିବା କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂରେ ପଢ଼ୁଥିବା ଜଣାପଡ଼ିଛି। ଏହି ଘୋଟାଲା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚର ଅନୁସନ୍ଧାନ ଜାରି ରହିଛି। ସେପଟେ ‘ବଣିକ’ ନାଁରେ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏଠାକାର କର୍ମଚାରୀ। ଆମେ ଏଠାରେ ପିଲାଙ୍କୁ କୋଚିଂ ଦେଉ, ବାହାରେ କିଏ କ’ଣ କଲା ତାହା ଆମେ ଜାଣିନୁ। ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତଦନ୍ତରେ ପୂରା ସହଯୋଗ କରୁଛୁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ:SI ପରୀକ୍ଷା ମହାଘୋଟାଲା ମାମଲାରେ ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ; ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ