ନୂଆପଡ଼ା: ନୂଆପଡ଼ାରେ ବିଜୁ ଜନତା ଦଳର ଲଜ୍ଜାଜନକ ପରାଜୟ ହୋଇଛି । ଏକଦା ଏକ ନମ୍ବର କୁହାଉଥିବା ଦଳ ଶେଷରେ ତୃତୀୟକୁ ଖସିଆସିଛି । ବିପୁଳ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ଜିତିବା ପରେ ପୁଣି ବିଜେଡ଼ିକୁ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ଏଥର ଶ୍ରୀମୟୀଙ୍କ ଟାର୍ଗେଟରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ ବୋଲି କହିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ବିଜେଡ଼ି ଏବଂ ସ୍ନେହାଙ୍ଗିନୀଙ୍କୁ କଟାକ୍ଷ କରିବା ସହିତ ତାଙ୍କୁ ଦିଆଯାଇଥିବା ଅପମାନର ଜବାବ ଦେଇଛନ୍ତି । ଆଉ ଅନେକ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି ଯେ ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ । ଯେଉଁ ମହିଳା ମୋତେ ବ୍ୟକ୍ତିଗତ ଭାବେ ଅପମାନିତ କରିବା ପାଇଁ ପ୍ରୟାସ କରିଥିଲେ, ତାଙ୍କୁ ଆଜି ନୂଆପଡ଼ାବାସୀ ‘ମିଛେଇ ପରଦେଶୀ’ କହି ଉଚିତ୍ ଜବାବ ଦେଲେ । ବିଳମ୍ବରେ ହେଉ ପଛେ ନିୟତି ତାଙ୍କର ବିଚାର କଲା । ଶେଷ ପର୍ଯ୍ୟନ୍ତ ନିଜର ମାମୁଁ ଘର କହି ଡ୍ରାମା କଲେ। ବୋଧେ ନିର୍ବାଚନ ପୂର୍ବରୁ କାଳ୍ପନିକ ମାମୁଁ ଦହି ଖୁଆଇ ଆଶୀର୍ବାଦ ଦେଇନଥିଲେ । ଯିଏ ଗୋଟିଏ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ସଂଗଠିତ କରି ପାରିଲେ ନାହିଁ, ସେ ପୁଣି ରାଜ୍ୟ ସଭାନେତ୍ରୀ । ଜଗତେ କେବଳ ଜନେ ହସିବେ କହି ତାଚ୍ଛଲ୍ୟ କରିଛନ୍ତି ଶ୍ରୀମୟୀ । ଏହା ସହିତ ଏକ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଛିଡ଼ା ହୋଇଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।
ପୂର୍ବରୁ ଶ୍ରୀମୟୀ ଅନେକ ଥରେ କହିଥିଲେ ଯେ ଯେତେବେଳେ ଜଣେ ବରିଷ୍ଠ ନେତା ତାଙ୍କୁ 'ସୁପର୍ଣଖା' କହି ଅପମାନ କରିଥିଲେ ସେ ବିଜେଡ଼ି ବହୁ ବରିଷ୍ଠ ମହିଳା ନେତ୍ରୀଙ୍କୁ ଅଭିଯୋଗ କରିଥିଲେ । ଏପରିକି ସ୍ନେହାଙ୍ଗିନୀ ଛୁରିଆ, ପ୍ରମିଳା ମଲ୍ଲିକ ପ୍ରମୁଖଙ୍କୁ । କିନ୍ତୁ ସେତେବେଳେ ସ୍ନେହାଙ୍ଗିନୀ ଜଣେ ମହିଳା ହିସାବେ ତାଙ୍କୁ ସମର୍ଥନ କିମ୍ବା ସମବେଦନ ଜଣାଇବା ପରିବର୍ତ୍ତେ ଓଲଟା ମିଛେଇ ବୋଲି କହିଥିଲେ । ଯାହା ତାଙ୍କୁ ଆଘାତ ଦେଇଥିଲା । କେବଳ ଉଷା ଦେବୀ ହିଁ ତାଙ୍କ ସାଥ୍ ଦେଇଥିଲେ ।