ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ନୌଗାମ ଥାନାରେ ହୋଇଥିବା ବିସ୍ଫୋରଣ ଏକ ଅଘଟଣ । ଏ ନେଇ ପୋଲିସ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ନଳିନ ପ୍ରଭାତ ଏହି ସୂଚନା ଦେଇଛନ୍ତି । ଏଥିରେ ଏଯାବତ ୧୦ ନୁହେଁ ବରଂ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି ।
ଜମ୍ମୁ କାଶ୍ମୀର ଡିଜିପି ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡିଜିପି ସ୍ପଷ୍ଟ କରିଛନ୍ତି ଯେ ନୌଗାମ ବିସ୍ଫୋରଣରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର କିମ୍ବା ବାହାର ସଦସ୍ୟଙ୍କ ହସ୍ତକ୍ଷେପ ନ ଥିଲା । ନୌଗାମ ଥାନାରେ ୧୬୨/୨୦୨୫ରେ ଏଫ୍ଆଇଆର୍ ରୁଜୁ ହୋଇଥିଲା । ଗତ ନଭେମ୍ବର ୯ ଏବଂ ୧୦ରେ ଫରିଦାବାଦରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ, ରାସାୟନିକ ପଦାର୍ଥ ଏବଂ ରିଜେଣ୍ଟ ଜବତ ହୋଇଥିଲା । ଜବତ ବିସ୍ଫୋରକ ସାମଗ୍ରୀକୁ ନୌଗାମ ଥାନାରେ ସୁରକ୍ଷିତଭାବେ ରଖାଯାଇଥିଲା । ନିୟମ ମୁତାବକ ସେଗୁଡ଼ିକୁ ଫରେନସିକ ଯାଞ୍ଚ ପାଇଁ ପଠାଯାଇଥାଆନ୍ତା । ବିପୁଳ ପରିମାଣରେ ସାମଗ୍ରୀ ଜବତ ହୋଇଥିବା କାରଣରୁ ଫରେନସିକ୍ ଲ୍ୟାବ୍ ଟିମ୍ ଗତ ଦୁଇ ଦିନ ହେବ ଯାଞ୍ଚ କରୁଛନ୍ତି । ନମୂନା ସଂଗ୍ରହ କରିବା ପ୍ରକ୍ରିୟା ବହୁତ ସତର୍କତାର ସହିତ କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଶୁକ୍ରବାର ରାତି ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ ଆକସ୍ମିକ ଭାବେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ କୌଣସି ଅନୁମାନ ଲଗାଇବା ବ୍ୟର୍ଥ ବୋଲି କହିଛନ୍ତି ଡିଜିପି ।
ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଏସଆଇଏର ଜଣେ କର୍ମୀ, ଏଫ୍ଏସ୍ଏଲ୍ ଟିମର ୩ ଜଣ କର୍ମଚାରୀ, କ୍ରାଇମସିନ୍ ଟିମର ୨ ଫଟୋଗ୍ରାଫର୍, ମାଜିଷ୍ଟ୍ରେଟଙ୍କ ଟିମର ଦୁଇ ରାଜସ୍ୱ ଅଧିକାରୀ ଓ ଉକ୍ତ ଟିମରେ ଥିଲା ଜଣେ ସିଲେଇ କର୍ମଚାରୀ ଅଛନ୍ତି । ସେହିପରି ଗୁରୁତଙ୍କ ମଧ୍ୟରେ ୨୭ ପୋଲିସ କର୍ମଚାରୀ, ୨ ରାଜସ୍ୱ ଅଧିକାରୀ ଏବଂ ୩ ଜଣ ସାଧାରଣ ନାଗରିକ ରହିଛନ୍ତି । ଥାନା ସହିତ ନିକଟସ୍ଥ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ବିସ୍ଫୋରଣ ଫଳରେ ଏକ ଭୟଙ୍କର ନିଆଁ ଲାଗିଯାଇଥିଲା ଯାହା ପାର୍କିଂ ହୋଇଥିବା ଏକ ଡଜନରୁ ଅଧିକ ଯାନବାହନକୁ ଜଳାଇ ଦେଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ରାଜବାଗ, ପୁରୁଣା ସଚିବାଳୟ, ଚାନପୋରା, ସନତନଗର, ରାୱଲପୋରା ଏବଂ ପାନ୍ଥ ଚୌକରେ ସାତ କିଲୋମିଟର ଦୂରରେ ଶୁଣାଯାଇଥିଲା। ଅକ୍ଟୋବର ୧୯ ତାରିଖରେ ଏହି ଥାନାରେ ପଞ୍ଜିକୃତ ଏକ ମାମଲାରେ ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ୍-ହିନ୍ଦର ଧଳା କଲର ଆତଙ୍କବାଦୀ ମଡ୍ୟୁଲ୍ ର ପର୍ଦ୍ଦାଫାଶ କରାଯାଇଥିଲା। ଏହି ଥାନାର ତଦନ୍ତ ସମୟରେ ଦୁଇ ଜଣ ଓଜିଡବ୍ଲ୍ୟୁଙ୍କୁ ଗିରଫ କରିବା ପରେ ଫରିଦାବାଦରେ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା।