ନୂଆପଡ଼ା: ନୂଆପଡ଼ାରେ ବିଜେପିର ବିରାଟ ବିଜୟ ପରେ ସବୁଠି ଖୁସି ଓ ଉତ୍ସାହ। ନୂଆପଡ଼ା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପିର ଜୟ ଢୋଲକିଆ। ଜୟଙ୍କ ବିଶାଳ ବିଜୟ ପରେ ଭୁବନେଶ୍ଵର ବିଜେପି କାର୍ଯ୍ୟାଳୟରୁ ନେଇ ନୂଆପଡ଼ା ସବୁଠି ସେଲିବ୍ରେସନ୍ ଦେଖିବାକୁ ମିଳିଛି ।
ଉପନିର୍ବାଚନରେ ଜିତିବା ପରେ ଖବର ଓଡିଶାକୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଜୟ ଢୋଲକିଆ କହିଛନ୍ତି, "ଦିବଙ୍ଗତ ରାଜୁ ଭାଇ ଢୋଲକିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜୟ ହୋଇଛି। ନୂଆପଡ଼ାର ଲୋକେ ଯେଉଁଭଳି ଭାବେ ବାପାଙ୍କୁ ବିଶ୍ଵାସ କରିବା ସହ ଆଶୀର୍ବାଦ ଦେଉଥିଲେ। ତା'ଠୁ ଅଧିକ ବିଶ୍ଵାସ ଓ ଭଲ ପାଇବା ମୋ ପ୍ରତି ଅଜାଡ଼ି ଦେଇଛନ୍ତି। ନୂଆପଡ଼ାବାସୀଙ୍କୁ ଆଶ୍ଵାସନା ଦେଉଛି ସେମାନଙ୍କ ବିଶ୍ଵାସ କେବେ ଭାଙ୍ଗିବାକୁ ଦେବିନି ।"
ଅଧିକ ପଢନ୍ତୁ: ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ; ସବୁ ରେକର୍ଡ ଭାଙ୍ଗି ବିଜୟ ପଥରେ ଅଗ୍ରସର
ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ହୋଇଥିଲା। ମୋହନ ମାଝୀ ସରକାରରେ ହୋଇଥିବା ପ୍ରଥମ ଉପନିର୍ବାଚନରେ ବିଜେପି ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି। ନୂଆପଡ଼ା ନିର୍ବାଚନ ଇତିହାସରେ ନୂଆ ଇତିହାସ ଲେଖିଛନ୍ତି ବିଜେପିର ଜୟ ଢୋଲକିଆ।
ଜୟଙ୍କ ବିଜୟ ନେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରତିକ୍ରିୟା ରଖିଛନ୍ତି। ମାଳବିକା କହିଛନ୍ତି, "ବହୁତ ବହୁତ ଖୁସି ଲାଗୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରିଶ୍ରମ ଆଜି ରଙ୍ଗ ଆଣିଛି । ନୂଆପଡ଼ାବାସୀଙ୍କୁ ଧନ୍ୟବାଦ। ଆପଣମାନଙ୍କ ସହ ଆମେ ସବୁବେଳେ ରହିବୁ। ଏହା ଦଳର ବିଜୟ ।"
ନୂଆପଡ଼ାରେ ବିଜେପିର ବିଭିନ୍ନ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। କର୍ମୀ ଏବଂ ସମର୍ଥକମାନେ ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଛନ୍ତି। ଆଜିର ଫଳାଫଳା ପ୍ରମାଣିତ କରିଛି ମୋହନ ମାଝୀଙ୍କ ସରକାରଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବଢିଛି। କାରଣ ବିପୁଳ ଜନସମର୍ଥନ ହିଁ ତାର ପ୍ରମାଣ ଦେଇଛି।
ଅଧିକ ପଢନ୍ତୁ: ଭୋଟ୍ ପୋଛି ନେଲେ ଜୟ, ନୂଆପଡ଼ା ଦଖଲ କଲା ବିଜେପି