ପୁଣି ମାତିଲେ ଲୁଟେରା ଦଳ । ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଏକାଥରେ ୪ଟି ମନ୍ଦିରରୁ ସବୁକିଛି ଲୁଟି ନେଇଛନ୍ତି ଲୁଟେରା ଦଳ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା କପ୍ତିପଦା ବଜାରରେ ।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ କପ୍ତିପଦା ବଜାରରେ ଥିବା ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଚଣ୍ଡି ମନ୍ଦିରରେ ଦୁର୍ବୃତ୍ତ ମାନେ ପଶିଥିଲେ । ଏହାସହ ମନ୍ଦିର ମୁଖ୍ୟ ଗେଟ ତାଲା ଭାଙ୍ଗି ମନ୍ଦିରରୁ ଠାକୁରଙ୍କ ମୁକୁଟ , ନଥ , ଚିତା ସହ ଅନ୍ୟ ପୂଜା ସାମଗ୍ରୀ ନେଇଯାଇଛନ୍ତି । ଖାଲି ସେତିକି ନୁହେଁ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଅର୍ଥ ମଧ୍ୟ ଲୁଟି ନେଇଛନ୍ତି । ଶୁକ୍ରବାର ସକାଳୁ ପୂଜା କରିବାକୁ ଆସିଥିବା ପୂଜକ ମନ୍ଦିରରୁ ଲୁଟ ହୋଇଥିବା ଜାଣି ଅନ୍ୟ ପୂଜକ ମାନଙ୍କୁ ଜଣାଇଥିଲେ । ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା,ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛି ମନ୍ଦିର କମିଟି । ଯାହାକୁ ନେଇ କପ୍ତିପଦା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।