କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହୃତ କରାଯାଇଛି । କଣ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା ଏବଂ କଣ ପାଇଁ ପୁଣି ପ୍ରତ୍ୟାହାର କରାଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।
ଗତକାଲି ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଜାରି କରିଥିଲେ ଯେ ସନ୍ଧ୍ୟା 5ଟା 30 ପରେ କୌଣସି ମହିଳା ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ରହି ପାରିବେ ନାହିଁ । ସମସ୍ତ ମହିଳା କର୍ମଚାରୀ ଏବଂ ଛାତ୍ରୀ ସନ୍ଧ୍ୟା ପରେ କ୍ୟାମ୍ପସ୍ ଭିତରେ ରହିପାରିବେ ନାହିଁ । ଏସ୍ଓପି ନ ଆସିବା ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ଗଣ ଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମହିଳା କର୍ମଚାରୀ ଏବଂ ଛାତ୍ରୀଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ବିଦ୍ୟାଳୟରେ ଆଇସିସି କମିଟି ଗଠନ ଏବଂ ପୁନର୍ଗଠନ କରିବାକୁ ଗଣ ଶିକ୍ଷା ବିଭାଗ ଗତକାଲି ନିର୍ଦ୍ଦେଶାନାମା ଜାରି କରିଥିଲା । ସେହିପରି ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଆଇସିସି ଗଠନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରିଛି ।