ମୟୁରଭଞ୍ଜ: ମୟୁରଭଞ୍ଜର ବାରିପଦାରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ରାକେଟ୍ର ତଦନ୍ତ ବେଳେ ପଦାକୁ ଆସିଛି ସାଙ୍ଘାତିକ୍ ତଥ୍ୟ । ଗିରଫ ହୋଇଥିବା ଶିକ୍ଷକ ଓ ତାନ୍ତ୍ରିକ ଏହି ରାକେଟ୍ର ମୁଖ୍ୟ କାର୍ପଟ୍ଦାର ଥିଲେ । ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି ।
ଘଟଣା ମୁତାବିକ ମଙ୍ଗଳବାର ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ । ଏହି ମାମଲାରେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର ଓ କାଣିମହୁଲି ଗାଁର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମତେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ୭ଟି ମୋବାଇଲ ଜବତ ହୋଇଥିଲା । ତେବେ ତାନ୍ତ୍ରିକ ଗୁରୁପ୍ରସାଦଙ୍କ ମୋବାଇଲ ଫୋନ୍ ଖୋଲିବା ପରେ ତଦନ୍ତକାରୀ ଟିମ୍ ତାଜୁବ୍ ହୋଇଯାଇଛି । ଏହି ମୋବାଇଲରେ ୪୮୦ରୁ ଅଧିକ ଭିଡ଼ିଓ ରହିଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ମହିଳାଙ୍କ ନଗ୍ନ ଭିଡ଼ିଓ ଓ ଫଟୋ ମଧ୍ୟ ରହିଛି । ତନ୍ତ୍ରସାଧନା ବେଳେ କୌଶଳକ୍ରମେ ଏସବୁ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି ।
ତେବେ ଯାଞ୍ଚ ପାଇଁ ଶିକ୍ଷକ ଓ ତାନ୍ତ୍ରିକଙ୍କ ମୋବାଇଲ୍ ସହ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ଗୁଡ଼ିକୁ ରାଜ୍ୟ ଫରେନ୍ସିକ୍ ଲାବ୍କୁ ପଠାଯାଇଥିବା ସୂଚନା ଦେଇଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ । ରିପୋର୍ଟ ଆସିଲେ ତଦନ୍ତ ତ୍ବରାନ୍ବିତ ହେବ । ଗତକାଲି ବି ଅଭିଯୁକ୍ତମାନଙ୍କୁ ଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଧିକ ଜେରା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ ।