ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ୍ ଛକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଜୁବାବୁ ଛକ (ପୂର୍ବର ପର୍ଶୁରାମ ଛକ) ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବ୍ରହ୍ମପୁରା ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳୁ ନିଆଁ ଲାଗିଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ । ଏ ନେଇ ପାଟଣାଗଡ଼ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ପ୍ରତିମୂର୍ତ୍ତିରେ ଘୋଡ଼ା ଯାଇଥିବା ଜରି ପାଲ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।
ପୋଲିସ ଜଣକୁ ଅଟକ ରଖିଛି । ସେ ନିଆଁ ଲଗାଇଥିବା ଜଣା ପଡ଼ିଛି । କିନ୍ତୁ ସେ ଜଣେ ମାନସିକ ବିକାରଗ୍ରସ୍ତ ସେ ଗତ କିଛି ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ବୁଲାବୁଲି କରୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ବ୍ରହ୍ମପୁରା ବ୍ଲକ୍ ଛକରେ ପୂର୍ବତନ ବିଜେଡ଼ି ବିଧାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିଥିଲେ । ଏହା ପରେ ପର୍ଶୁରାମ ଛକକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଥିଲା । କିନ୍ତୁ ଏହାକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା । ଫଳରେ ମୂର୍ତ୍ତିକୁ ଜରି ପାଲ ଦ୍ୱାରା ଘୋଡ଼ାଇ ଦିଆଯାଇଥିଲା । ସେବେଠାରୁ ପ୍ରତିମୂର୍ତ୍ତିଟି ଉଦଘାଟନ ହୋଇପାରି ନ ଥିଲା ।