କଟକ: ଜାତୀୟ ରାଜପଥ ଉପରେ ଚଳନ୍ତା ଅଟୋରେ ଜଣେ ନାବାଳିକା ଅସଦାଚରଣ ଶୀକାର ହୋଇଛନ୍ତି । ତାହା ପୁଣି କୌଣସି ଗ୍ରାମାଞ୍ଚଳରେ ନୁହେଁ ବରଂ ଜନଗହଳିପୂର୍ଣ୍ଣ କଟକ ସହରରେ । ଶିଖରପୁର ନିକଟରେ ଏନ୍ଏଚ୍-୧୬ ଉପରେ ଜଣେ ଅଟୋ ଚାଳକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଚାଉଳିଆଗଞ୍ଜ ଥାନାରେ ନାବାଳିକାର ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।
ଘଟଣାକ୍ରଣ ଏମିତିକି, ଗତ ୮ ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ିକୁ କୌଣସି କାମରେ ଆସିଥିଲେ । ବାଦାମବାଡ଼ିରୁ ଏକ ଅଟୋ ପୁଣି ଘରକୁ ଫେରୁଥିଲେ । ଶିଖରପୁର ନିକଟରେ ନାବାଳିକାଟି ଅଟୋ ଚାଳକଙ୍କୁ ପାଣି ମାଗିଥିଲେ । ଅଟୋ ପାଣି ନ ଥିବାରୁ ନାବାଳିକାଙ୍କ ସାଙ୍ଗ ପାଣି ଆଣିବାକୁ ପଳେଇଥିଲେ । ସେହି ସମୟରେ ନାବାଳିକାକୁ ଏକାକୀ ଦେଖି ଚାଳକ ଜଣକ ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ଆଉ କାହାକୁ କିଛି କହିଲେ ପେଟ୍ରୋଲ ଢାଳି ଜାଳି ଦେବି ଧମକ ଦେଇଥିବା ନାବାଳିକାଟି କହିଛି ।
ଗତ ୧୬ ତାରିଖରେ ନାବାଳିକାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରିବା ସହିତ ଚାଳକଙ୍କ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହା ସହିତ ନାବାଳିକାର ବୟାନ ରେକର୍ଡ କରିବା ସହିତ ଡାକ୍ତରୀମାଇନା କରିବାକୁ ପଠାଇ ଦିଆଯାଇଛି । ଖୁବ ଶୀଘ୍ର ଉକ୍ତ ଚାଳକଙ୍କୁ ଧରାଯିବା ବୋଲି ଡିସିପି କହିଛନ୍ତି ।