ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ଏକମାଣିଆରେ ଏକକାଳୀନ ୭୩ଟି ମଇଁଷିର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ସାରା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । କୌଣସି ବିଷକ୍ରିୟା ପାଇଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରବିବାର ସକାଳ ପ୍ରାୟ ୮ଟା ସମୟରେ ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର ୩୦ଟି, ଜଗନ୍ନାଥ ଦାସଙ୍କର ୩୦ଟି ଏବଂ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କର ୧୨ଟି ମଇଁଷି ନେଇ ଚରେଇବାକୁ ଯାଇଥିଲେ । କିନ୍ତୁ ଏହି ସମୟରେ ପ୍ରତିଦିନ ଭଳି ବ୍ରାହ୍ମଣୀ ନଦୀର ଶାଖା ଗଳିଆ ନାଳରେ ମଇଁଷିତକ ପଶିଥିଲେ । କିଛି ସମୟ ପରେ ଗୋଟିଏ ପରେ ଗୋଟିଏ ମଇଁଷି ପାଣିରେ ଭାସୁଥିବାର ଦେଖିଥିଲେ ଜଗୁଆଳି । ତୁରନ୍ତ ଗ୍ରାମବାସୀଙ୍କ ଖବର ଦେଇଥିଲେ । ସମସ୍ତେ ଆସି ମଇଁଷିଗୁଡ଼ିକୁ ପାଣିର ଉଦ୍ଧାର କରିଥିଲେ । କିନ୍ତୁ କିଛି ଉଦ୍ଧାର ହୋଇଥିବା ବେଳେ କିଛି ବୁଡ଼ି ରହିଥିଲେ । ପ୍ରାୟ ୭୩ଟି ମଇଁଷିଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା ।
ତେବେ ମଇଁଷିଙ୍କ ଏପରି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କାରଣ ମଇଁଷି ପାଣିରେ ପହଁରିବାରେ ଅଭ୍ୟସ୍ତ । ତେଣୁ ସାମାନ୍ୟ ନାଳରେ କେମିତି ଅଚାନକ ବୁଡ଼ିଗଲେ । ଅନ୍ୟପକ୍ଷରେ ଚିଙ୍ଗୁଡ଼ି ମରା ଔଷଧ କିମ୍ବା କୌଣସି ବିଷ କ୍ରିୟା ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ତେଣୁ ଶବ ବ୍ୟବଚ୍ଛେଦ କରିବା ସହିତ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହା ସହିତ ମଇଁଷି ମାଲିକମାନଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି।
ପଶୁ ଚିକିତ୍ସକ ଗାଁରେ ପହଁଚି ତଦାରଖ କରିଛନ୍ତି । କେମିତି ମଇଁଷିଙ୍କର ମୃତ୍ୟୁ ହୋଇଥିବା ସେ ନେଇ ତଦାରଖ କରୁଛନ୍ତି ।