ବଲାଙ୍ଗିର : ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ପୋଲିସ ହେଲା ହଟ୍ଟହଟା। ପୋଲିସକୁ ଧସ୍ତାଧସ୍ତି ସହ ମାରପିଟ୍ କଲେ ଗାଁର କିଛି ଲୋକ। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ଘଟିଛି।
ସୂଚନା ଅନୁଯାୟୀ ଗାଁର ପ୍ରେମୀ ଯୁଗଳ କିଛି ଦିନ ହେବ ଫେରାର ଥିଲେ। ଉଭୟ ବିରୀପାଲି ଗାଁର ହୋଇଥିଲେ ବି ଅଲଗା ଅଲଗା ଜାତିର ଅଟନ୍ତି । ତେଣୁ ଏହି ପ୍ରେମକୁ ଝିଅ ଘର ଲୋକ ବିରୋଧ କରୁଥିଲେ। ଝିଅ ଘର ଲୋକ ଏନେଇ ତାଙ୍କ ଝିଅ ନିଖୋଜ ହୋଇଥିବା ଏତଲା ମଧ୍ୟ ଦେଇଥିଲେ। ପୋଲିସ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅ ନିଖୋଜ ନୁହେଁ ବରଂ ଗାଁର ଜଣେ ପିଲାଙ୍କୁ ପ୍ରେମ କରୁଥିଲା ଏବଂ ତା ସହ ଯାଇଥିବା ଜାଣିବାକୁ ପାଇଥିଲା। ତେବେ ପ୍ରେମୀ ଯୁଗଳ ଗାଁରେ ଲୁଚିଥିବା ପୋଲିସ ଖବର ପାଇବା ପରେ ଗାଁକୁ ଯାଇ ପ୍ରେମୀ ଯୁଗଳକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ହେଲେ ଗାଁର କିଛି ଲୋକ ଗାଁ କଥା ଗାଁରେ ଵିଚାର କରାଯିବ ଏବଂ ତାଙ୍କୁ କିଏ ଉଦ୍ଧାର କରି ନେଇ ପାରିବ ନାହିଁ ବୋଲି ପୋଲିସକୁ ବିରୋଧ କରିଥିଲେ । ପ୍ରେମୀ ଯୁଗଳଙ୍କୁ ପୋଲିସ ସମ୍ମଖରେ ଗାଁ ଲୋକେ ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ ପୋଲିସ ବାରଣ କରିବାରୁ ଏଭଳି ଘଟଣା ଘଟିଛି। ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯାଇ ଆକ୍ରୋଶର ଶିକାର ହେବା ସହ ଧସ୍ତାଧସ୍ତି ସହ ମାରପିଟ ହୋଇଥିବା ଦେଖିବାକୁ ମିଳିଛି। ଶେଷରେ ପୋଲିସ ପ୍ରେମୀ ଯୁଗଳଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଅନ୍ୟ ପକ୍ଷରେ ପୋଲିସ ଉପରେ ଆକ୍ରମଣ କରିଥିବା କିଛି ଲୋକଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବଲାଙ୍ଗିର ଏସପି ଅଭିଳାଷ ଜି ପ୍ରତିକ୍ରିୟା ଦେଇଛନ୍ତି।