ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଖୁବ ଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ । କିନ୍ତୁ ନବୀନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି । ମେଡ଼ିକାଲରେ ନବୀନଙ୍କୁ ଭେଟିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଯାଇଥିବାବେଳେ ସେମାନଙ୍କୁ ଅନୁମତି ନ ମିଳିବାରୁ କ୍ଷୋଭ ପ୍ରକାଶ ପାଇଛି ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନବୀନ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସୋମବାର ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ଡିସଚାର୍ଜ ହୋଇପାରନ୍ତି । କିନ୍ତୁ ସେ ପୂର୍ଣ୍ଣତା ସୁସ୍ଥତା ଲାଭ କରିପାରି ନାହାଁନ୍ତି ବୋଲି କହିଛନ୍ତି ଦେବୀ ।
ଅନ୍ୟପକ୍ଷରେ ଗତକାଲି ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱମାନେ ନବୀନ ଭେଟିବାକୁ ଯାଇ ନିରାଶ ହୋଇଛନ୍ତି । ଗତକାଲି ସରକାରଙ୍କ ପ୍ରତିନିଧି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବାକୁ ଯାଇଥିବାବେଳେ ତାଙ୍କୁ ଅନୁମତି ମିଳିନଥିଲା ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ବିଧାୟକ କହିଛନ୍ତି, ନବୀନ ବାବୁ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, ତେଣୁ ସେ ସାରା ଓଡ଼ିଶାର ସମ୍ପତ୍ତି । ରାଜନୈତିକ ସମ୍ପର୍କ ଛଡ଼ା ତାଙ୍କୁ ବ୍ୟକ୍ତିଗତଭାବେ ସମସ୍ତେ ଭଲ ପାଆନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବାର ସମସ୍ତଙ୍କର ଅଧିକାର ଅଛି । ତେଣୁ କାହିଁକି ନବୀନଙ୍କୁ ଭେଟିବାକୁ ଦିଆଯାଉ ନାହିଁ ତାହା ସେମାନେ ଜାଣିଥିବେ ବୋଲି କହିଛନ୍ତି ଅଶୋକ ମହାନ୍ତି ।
ସେହିପରି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ସେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ଥିଲେ । କିନ୍ତୁ ସେ ଆଇସିୟୁରେ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ଏପରିକି ସେ କାଚ ବାହାରୁ ଦେଖିବାକୁ ଇଚ୍ଛା କରୁଥିବା ସତ୍ତ୍ୱେ ସେତିକି ବି ଅନୁମତି ମିଳିଥିଲା । ସୁଜାତା ପାଣ୍ଡିଆନ ପିସିସି ସଭାପତିଙ୍କୁ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।