ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ହେଉଥିବା ସ୍ୱତନ୍ତ୍ର ପୁନଃ ନିରୀକ୍ଷଣକୁ ନେଇ ସଂସଦଠୁ ସଡକ ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିରୋଧୀ ମେଣ୍ଟ ଏବଂ ଶାସକ ମଧ୍ୟରେ ସଂଗ୍ରାମ ଜାରି ରହିଛି । ନିର୍ବାଚନ ଆୟୋଗ ଓ ଭାରତୀୟ ଜନତା ପାର୍ଟି ମିଶି କି ଭୋଟ୍ ଚୋରି କରୁଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଙ୍ଗୀନ ଅଭିଯୋଗ କରି ଆସିଛନ୍ତି । ଏବେ ଏହା ଉପରେ ପାଲଟା ଜବାବ ଦେଇଛି ବିଜେପି । ଏହି ପ୍ରସଙ୍ଗରେ କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ପାଲଟା ହମଲା କରି ବିଜେପି କହିଛି, ରାହୁଲ ଗାନ୍ଧୀଙ୍କ ମାଆ ତଥା କଂଗ୍ରେସର ନେତା ସୋନିଆ ଗାନ୍ଧୀ ଭାରତର ନାଗରିକା ହେବା ପୂର୍ବରୁ ଏଠାକାର ଭୋଟର ହୋଇ ଯାଇଥିଲେ । ଭାରତର ନାଗରିକତା ନେବା ପୂର୍ଭରୁ ସୋନିଆ ଗାନ୍ଧୀଙ୍କ ନାଁକୁ ଭୋଟର ତାଲିକାରେ ଯୋଡି ଦିଆଯାଇଥିଲା ।
ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭ୍ୟ ଏକ୍ସରେ ଏକ ଲେଖାରେ ଦାବି କରିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ନାଁ ଭାରତର ଭୋଟର ତାଲିକାରେ ଯୋଡିବା ନିର୍ବାଚନ ଆଇନର ଉଲ୍ଲଂଘନ କରିଛି । ବୋଧହୁଏ ଏହି କାରଣରୁ ରାହୁଲ ଗାନ୍ଧୀ ଅଯୋଗ୍ୟ ଏବଂ ବେଆଇନ ମତଦାତାକୁ ନିୟମିତ କରିବା ପକ୍ଷରେ ଅଛନ୍ତି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃ ନିରୀକ୍ଷଣକୁ ବିରୋଧ କରୁଛନ୍ତିଳ । ମାଲଭ୍ୟ ଏହା ମଧ୍ୟ ଲେଖିଛନ୍ତି, ସୋନିଆଙ୍କ ନାଁ ପ୍ରଥମ ଥର ୧୯୮୦ରେ ମତଦାତା ସୂଚୀରେ ଯୋଡି ଦିଆଯାଇଥିଲା । ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ତତ୍କାଳୀନ କଂଗ୍ରେସ ସରକାର ଏହି କାମ କରିଥିଲା । ସେହି ସମୟରେ ସୋନିଆଙ୍କ ପାଖରେ ଇଟାଲୀର ନାଗରିକତା ଥିଲା ।
ସେ ଦାବି କରିଛନ୍ତି ଯେ, ଅନ୍ୟ ଶବ୍ଦରେ କହିବାକୁ ଗଲେ, ସୋନିଆ ଗାନ୍ଧୀ ନାଗରିକତା ଗ୍ରହଣ କରିବା ପୂର୍ବରୁ ହିଁ ତାଙ୍କ ନାଁକୁ ଭୋଟର ତାଲିକାରେ ଯୋଡି ଦିଆଗଲା । ପ୍ରଥମ ଥର ୧୯୮୦ରେ ଜଣେ ଇଟାଲୀ ନାଗରିକ ଭାବେ ଏବଂ ୧୯୮୩ରେ ଦ୍ୱିତୀୟ ଥର ଆଇନଗତ ଭାବେ । ଆମେ ଏହା ପ୍ରଶ୍ନ କରୁନୁ ଯେ, ରାଜୀବ ଗାନ୍ଧୀଙ୍କୁ ବିବାହ କରିବାର ୧୫ ବର୍ଷ ପରେ ବି ସୋନିଆ ଗାନ୍ଧୀ କାହିଁକି ଭାରତୀୟ ନାଗରିକତା ସ୍ୱୀକାର କରିବାରେ ଏତେ ବିଳମ୍ବ କଲେ ? ଏହା ବଳପୂର୍ବକ ନିର୍ବାଚନୀ କଦାଚାର ନୁହେଁ ତ ଆଉ କଣ ବୋଲି ମାଲଭ୍ୟ ପ୍ରଶ୍ନ କରିଛନ୍ତି ।