ନୂଆଦିଲ୍ଲୀ: ଜଗଦୀପ ଧନଖଡଙ୍କ ଇସ୍ତଫା କାରଣରୁ ଖାଲି ପଡିଥିବା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । କ୍ଷମତାସୀନ ବିଜେପି ଦ୍ୱାରା ବର୍ତ୍ତମାନ କୌଣସି ନାମ ଘୋଷଣା କରାଯାଇ ନାହିଁ । ଏହାକୁ ନେଇ ନିକଟ ଦିନରେ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ମାରାଥନ ବୈଠକ ବସିଥିଲା । ଏନଡିଏର ବୈଠକ ପରେ ଅନ୍ତିମ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଛାଡି ଦିଆଯାଇଥିଲା । ଏହି ସବୁ ମଧ୍ୟରେ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ଭାବିତ ଅଦଳବଦଳ ଯୋଜନା ଏବେ ଏବେ ପୁଣି ଥରେ ଏନଡିଏର ଉପରାଷ୍ଟ୍ରପତି ଚେହେରାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ଦଳୀୟ ସୂତ୍ର ଅନୁଯାୟୀ, ମୌସୁମୀ ଅଧିବେଶନ ଓ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ କାରଣରୁ ରାଜ୍ୟପାଳ ଓ ଉପରାଜ୍ୟପାଳ ଅଦଳବଦଳକୁ ଘୁଞ୍ଚାଇ ଦିଆଯାଇଥିଲା । ଗତ କିଛି ଦିନରେ ଅନେକ ରାଜ୍ୟପାଳ ଓ ଉପରାଜ୍ୟପାଳ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟି ସାରିଛନ୍ତି । ବୁଧବାର ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ହିମାଚଳ ପ୍ରଦେଶର ରାଜ୍ୟପାଳ ତଥା ପୂର୍ବତନ ବିଜେପି ସାଂସଦ ଶିବ ପ୍ରତାପ ଶୁକ୍ଳା ଜୁଲାଇ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ।
ଇଣ୍ଡିଆନ ଏକ୍ସପ୍ରେସ ନିଜର ଏକ ରିପୋର୍ଟରେ କହିଛି ଯେ, ଜୁଲାଇ ଓ ଅଗଷ୍ଟରେ ପ୍ରାୟ ୧୨ ଜଣ ରାଜ୍ୟପାଳ ଏବଂ ଉପରାଜ୍ୟପାଳ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟିଛନ୍ତି । ଏଥିରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ପରି ପ୍ରମୁଖ ବ୍ୟକ୍ତି ସାମିଲ । ଏହି ସବୁ ସାକ୍ଷାତକୁ ନେଇ ଏହି ଆକଳନ କରାଯାଉଛି ଯେ, ଦେଶର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରୁ କେହି ଜଣେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ତେବେ ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି ।
ସୂଚନାଯୋଗ୍ୟ, ଗତଥର ମଧ୍ୟ ଏମିତି ହୋଇଥିଲା । ଯେବେ ବିଜେପି ଜଗଦୀପ ଧନଖଡଙ୍କ ନାଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲା, ସେହି ସମୟରେ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ତେଣୁ ଅନେକ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଏମିତି ସାକ୍ଷାତକୁ ପୁଣି ଥରେ ଏହି ପ୍ରାର୍ଥୀ ଘୋଷଣା ଚର୍ଚ୍ଚାକୁ ବଳ ଯୋଗାଇଛି ।