ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ମୁକ୍ତାପୁର ନୂଆସାହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଖେଳିବାକୁ ଯାଇ ପୋଖରୀରେ ବୁଡି ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ୮ବର୍ଷିୟ ସୂର୍ଯ୍ୟକାନ୍ତ ବେହେରା ।
ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସୂର୍ଯ୍ୟକାନ୍ତ ଖେଳିବାକୁ ଯାଉଛି କହି ଘରୁ ବାହାରିଥିଲେ । କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ସୂର୍ଯ୍ୟକାନ୍ତଙ୍କୁ ପାଇ ନଥିଲେ । ଏବଂ ଆଜି ସକାଳୁ ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ବୃନ୍ଦାବନବିହାରୀ ପୁର ପୋଖରୀରେ ଲୋକେ ନାବାଳକର ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ଖବର ପାଇବା ପରେ ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଆଉ ପରିବାର ଲୋକଙ୍କ ଛାତିଫଟା କାନ୍ଦରେ କମ୍ପୁଛି ସାରା ଗାଁ ।