ଭୁବନେଶ୍ୱର: ଚାଷୀଙ୍କ ବର୍ଷକଜାକର ସୁନାର ଫସଲକୁ ଉଜାଡ଼ିବା ପରେ ଶେଷରେ କମିଛି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇଛି । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।
ଆଜି ଉପକୂଳ ଓ ଦକ୍ଷିଣ ଜିଲ୍ଲାମାନଙ୍କର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଇଛି । ଅପରାହ୍ନ୪ଟା ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିଛି । ଆଜି ପାଇଁ 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, କଳାହାଣ୍ଡି, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ବଲାଙ୍ଗୀରରେ ବର୍ଷା ଜାରି ରହିବ ।
ଅନ୍ୟପକ୍ଷରେ ବର୍ଷା କମିବା ପରେ ପୁଣି ଥିରେ ଶୀତର ପ୍ରକୋପ ବଢ଼ିବାର ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଯାହାର ପ୍ରଭାବରେ ପୁଣି ଥରେ ଥଣ୍ଡା ଅନୂଭୂତ ହେବ । ତେବେ ଏହି ସମୟରେ ଉପକୂଳ ବର୍ତ୍ତୀ ଓ ଆଭ୍ୟନ୍ତରୀଣଜିଲ୍ଲା ଗୁଡ଼ିକ ଘନକୁହୁଡ଼ି ଆଚ୍ଛାଦିତ ହୋଇ ରହିବ ବୋଲି ପାଣିପାଗ ବିଭାଗ କହିଛି । ଦିନ ପ୍ରାୟ 9ଟା ପର୍ଯ୍ୟନ୍ତ କୁହୁଡ଼ିର ବଳୟ ରହିବ ।
ସେପଟେ ବର୍ଷା ଚାଷୀକୂଳକୁ ଦୁଃଖ ସାଗରରେ ଭସାଇ ଦେଇଛି । ଜମିରେ ବର୍ଷା ପାଣିରେ ପାଚିଲା ଧାନ ଭାସୁଛି । ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ସେହିପରି ବାଦାମ ମଧ୍ୟ ଗଜା ହୋଇଯାଇଛି । ଶୀତ ଋତୁ ପାଇଁ ଚାଷ ହୋଇଥିବା ପନିପରିବାରେ ପୋକ ଲାଗିବା ସହିତ ପଚିସଢ଼ି ଗଲାଣି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।