ସରପଞ୍ଚଙ୍କ ବଦଳରେ ଭତ୍ତା ବାଂଟୁଥିଲେ ଶ୍ୱଶୁର। ଯାହାକୁ ବିରୋଧ କରି ଗଣ୍ଡଗୋଳ ଓ ଠେଲାପେଲା। ସ୍ଥିତି ବେହାଲ ହେଲା ଯେ ସ୍ଥାନୀୟ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଲା । ତେବେ ପହିଲି ରଜରେ ଏହି ହାଇ ଡ୍ରାମା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗବଗା ପଞ୍ଚାୟତ ଅଫିସରେ ଦେଖିବାକୁ ମିଳିଥିଲା । ତେବେ ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ଗବଗା ପଞ୍ଚାୟତରେ ଭତ୍ତା ବଣ୍ଟା ଯାଉଥିଲା । ଭତ୍ତା ବାଣ୍ଟିବା ପାଇଁ ଦାୟିତ୍ୱରେ ଥିଲେ ପଞ୍ଚାୟତର ଜିଆର୍ଏସ୍ ଅଞ୍ଜୁଶ୍ରୀ ନାୟକ। କିନ୍ତୁ ସରପଞ୍ଚ ଶୁଭଶ୍ମିତା ଦେଙ୍କ ବଦଳରେ ତାଙ୍କ ଶ୍ୱଶୁର ଲକ୍ଷ୍ମୀଧର ଦେ ପଞ୍ଚାୟତ ଅଫିସରେ ବସି ଭତ୍ତା ଖାତାରେ ସ୍ବାକ୍ଷର କରୁଥିଲେ। ଯାହାକୁ ନେଇ ହିତାଧିକାରୀ ଓ ଗାଁ ଲୋକେ ବିରୋଧ କରିଥିଲେ। ଭତ୍ତା ଟଙ୍କା ବଣ୍ଟା ସମୟରେ ସରପଞ୍ଚ କାହିଁକି ଉପସ୍ଥିତ ନଥିଲେ ସେନେଇ ପ୍ରଶ୍ନ ଉଠାଇଥିଲେ ସାଧାରଣ ଲୋକେ। କିନ୍ତୁ ସରପଞ୍ଚଙ୍କ ସମର୍ଥକ ଏହାକୁ ବିରୋଧ କରିବାରୁ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠି ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥାନୀୟ ଲୋକେ କମର୍ଦ୍ଦା ଥାନାକୁ ଖବର ଦେଇଥିଲେ। ପୋଲିସ ପଞ୍ଚାୟତ ଅଫିସରେ ପହଁଞ୍ଚିବା ପୂର୍ବରୁ ଜିଆର୍ଏସ୍ ସେଠୁ ପଳାଇ ଯାଇଥିଲେ ।
ତେବେ ଭତ୍ତା ଖାତାରେ ଲକ୍ଷ୍ମୀଧର ଦେ ଦସ୍ତଖତ କରିନଥିବା କହିଥିବାବେଳେ ଏହି ସମୟର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଭତ୍ତା ଖାତାରେ ଲକ୍ଷ୍ମୀଧର ଦସ୍ତଖତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗବଗା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଶୁଭଶ୍ମିତା ଦେ। ହେଲେ ସେ ଦୀର୍ଘ ମାସ ଧରି ରାଜ୍ୟ ବାହାରେ ରହୁଛନ୍ତି। ତାଙ୍କ ଅନୁପସ୍ଥିତିରେ ଶ୍ବଶୁର ଲକ୍ଷ୍ମୀଧର ଦେ ପଞ୍ଚାୟତର କାମ କରୁଥିବା ଅଭିଯୋଗ ହୋଇଛି । ପଞ୍ଚାୟତ କାମ ଠିକ ଭାବେ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଉଛି।
ଅଧିକ ପଢନ୍ତୁ : ନିର୍ବାଚନ ପରେ ଦାୟିତ୍ଵ ଭୁଲିଗଲେ ଜିଲ୍ଲା ପ୍ରଶାସନ, ନଷ୍ଟ ହେଲା ମହାବିଦ୍ୟାଳୟର ଆସବାବପତ୍ର