ନୟାଗଡ଼: ଦ୍ୱିତୀୟ ବିବାହ ପାଇଁ ୨ ନାବାଳକ ପୁଅକୁ ମିଳିମିଶି ମାରିଦେଲେ ବାପା ଏବଂ ଜେଜେ ମାଆ । ନୟାଗଡ଼ ଜିଲ୍ଲା ଧାନଟାଙ୍ଗଡ଼ାରେ ନାବାଳକ ମୃତ ଦେହ ମିଳିବା ଘଟଣାରେ ପୋଲିସ ବଡ଼ ଖୁଲାସା କରିଛି । ବାପା ପ୍ରକାଶ ମହାନ୍ତି ଏବଂ ହତ୍ୟାରେ ସହଯୋଗ କରିଥିବା ଜେଜେ ମା’ ସୌରୀ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ନୟାଗଡ଼ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଧାନଟାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତିଙ୍କର ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବା ପରେ ସେ ଦ୍ୱିତୀୟ ବିହାର କରିବାକୁ ଚାହୁଁଥିଲେ । କିନ୍ତୁ ଦ୍ୱିତୀୟ ବିବାହ ପ୍ରସ୍ତାବକୁ ତାଙ୍କର ଦୁଇ ପୁଅ ଆକାଶ ମହାନ୍ତି (୧୪) ଏବଂ ବିକାଶ ମହାନ୍ତି (୧୧) ବିରୋଧ କରୁଥିଲେ । ତେଣୁ ସେମାନଙ୍କୁ ରାସ୍ତାରୁ ହଟାଇବାକୁ ବାପା ପ୍ରକାଶ ଯୋଜନା କରିଥିଲେ । ଜନ୍ମ କଲା ବାପା ଶେଷରେ ରାକ୍ଷସ ପାଲଟି ଯାଇଥିଲା । ନିଜର ଦୁଇ ସନ୍ତାନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କର ମା’ ସୌରୀ । ଏହା ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଦୁଇ ପୁଅଙ୍କୁ ଟାଙ୍ଗି ଦେଇଥିଲେ ବୋଲି ପୋଲିସ କହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ଆକାଶ ଏବଂ ବିକାଶଙ୍କର ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତେ ଖାଇ ପିଇ ଶୋଇବା ପରେ ଦୁଇ ନାତି ଆତ୍ମହତ୍ୟା କରିଥିବା ଜେଜେ ମା’ ସୌରୀ ପୋଲିସକୁ ବୟାନ ଦେଇଥିଲେ । କିନ୍ତୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଗନ୍ଧ ବାରି ପାରିଥିଲା । ପୋଲିସ ଏହି ମାମଲାରେ ବାପା ପ୍ରକାଶ , ଜେଜେ ମା’ ସୌରୀ, ଦାଦା ଯୋଗୀନାଥ ଏବଂ ଖୁଡ଼ି ଶୈଳବାଳାଙ୍କୁ ଅଟକ ରଖିଥିଲା । ପରେ ବାପା ଏବଂ ଜେଜେ ମାଆଙ୍କୁ ଗିରଫ କରିଛି ପୋଲିସ ।