ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତର ଗଳଦା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବନିତା ମାଝୀ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୯ ଟିକିଆ ହାତୀ ପଲ ଗଳଦା ଗ୍ରାମରେ ପଶିଥିଲେ । ହାତୀପଲ ବନିତା ମାଝୀଙ୍କ ଘରକୁ ଭାଙ୍ଗି ଦେଇଥିଲେ । ଜୀବନ ବିକଳରେ ବନିତା ମାଝୀ ତାଙ୍କ ନାତୁଣୀକୁ ନେଇ ଘରୁ ବାହାରି ପଡୋଶୀ ଘରକୁ ଯାଇଥିଲେ । ଏହି ସମୟରେ ଏକ ହାତୀ ବନିତାଙ୍କୁ ଟାଣି ଆଣି କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ବନ ବିଭାଗ ଓ କାଳିଆହତା ଫାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ବନ ବିଭାଗ ଓ କାଳିଆହତା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।