ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ଦଶହରା ବା ବିଜୟା ଦଶମୀ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା ।
ହିନ୍ଦୁମାନଙ୍କର ସବୁଠୁ ବଡ଼ ପର୍ବ ହେଉଛି ଦଶହରା ବା ଦୁର୍ଗାପୂଜା । ଭାରତର ପ୍ରାୟ ସବୁ କୋଣରେ ଏହି ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ । ଏହି ପୂଜା ପଛରେ ଅନେକ ପୌରାଣିକ କାହାଣୀର ପ୍ରଚଳନ ରହିଛି । କୁହାଯାଏ ସର୍ବପ୍ରଥମେ ଭଗବାନ ଶ୍ରୀରାମ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ କରିଥିଲେ । ସେ ଲଙ୍କାର ରାଜା ରାବଣଙ୍କ ଉପରେ ବିଜୟଲାଭ କରିବା କାମନାରେ ଲଙ୍କାର ସମୁଦ୍ର କୂଳରେ ଏହି ପୂଜା କରିଥିଲେ । ଲଗାତାର 9 ଦିନ ପର୍ଯ୍ୟନ୍ତ ପୂଜା ମା'ଙ୍କର ଉପାସନା କରିବା ପରେ ଦଶମୀ ଦିନ ସେ ଲଙ୍କା ବିଜୟ ପାଇଁ ପ୍ରସ୍ଥାନ କରିଥିଲେ । ଯାହାପରେ ରାବଣ ସହ ଭୟଙ୍କର ଯୁଦ୍ଧ ହୋଇଥିଲା ଓ ଶେଷରେ ପ୍ରଭୁ ଶ୍ରୀରାମଙ୍କର ବିଜୟ ହୋଇଥିଲା । ସେବେଠୁ ଅସତ୍ୟ ଓ ଅଧର୍ମ ଉପରେ ଧର୍ମ ଓ ସତ୍ୟର ଜୟର ପର୍ବ ଦଶହରା ପାଳନ କରାଯାଏ ଓ ଦଶହରାର ପୂର୍ବ 9 ଦିନକୁ ନବରାତ୍ରୀ ଭାବେ ପାଳନ କରାଯାଏ। । ଦଶହରାରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅନେକ ସ୍ଥାନରେ ଏହିଦିନ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ ।
ଏହି ଦିନ ଅସ୍ତ୍ରଶସ୍ତ୍ର ପୂଜା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବିଧି ରହିଛି । ସନାତନ ପରମ୍ପରାରେ ଉଭୟ ଅସ୍ତ୍ରଶସ୍ତ୍ର ଏବଂ ଶାସ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ରର ସୁରକ୍ଷା ଏବଂ ଆତ୍ମରକ୍ଷା ପାଇଁ ଏକ ଧାର୍ମିକ ଉପାୟରେ ଅସ୍ତ୍ର ବ୍ୟବହାର କରାଯାଇଛି। ଅସ୍ତ୍ର ପୂଜା କରିବାର ପରମ୍ପରା ଆଜି ବି ଜାରି ରହିଛି।
ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ମାତା ଦୁର୍ଗା ଏହି ଦିନ ରାକ୍ଷସ ମହିଷାସୁରକୁ ବଦ୍ଧ କରିଥିଲେ। ବିଜୟର ପ୍ରତୀକ ଭାବେ ଦଶହରା ଦିନକୁ ପାଳନ କରା ହୋଇଆସୁଛି। ବିଶ୍ୱାସ କରାଯାଏ ଯେ ଏହି ଦିନରେ ଯେକୌଣସି କାର୍ଯ୍ୟ କରାଯାଏ, ଏହାର ଶୁଭ ଫଳ ମିଳିଥାଏ |