କଣ୍ଟାବାଞ୍ଜି: ବେଆଇନ ଦାଦନ ଶ୍ରମିକ ଚାଲାଣବେଳେ କଣ୍ଟାବାଞ୍ଜି ପୋଲିସକୁ ମିଳିଲା ସଫଳତା । ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବାବେଳେ ପୋଲିସ ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ଗତକାଲି କଣ୍ଟାବାଞ୍ଜି ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଦାଦନ ସର୍ଦ୍ଦାରଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ସର୍ଦ୍ଦାର ଜଣକ ଶ୍ରମିକଙ୍କୁ ଆଗୁଆ ଟଙ୍କା ଦେଇ ନିଜ ଘରେ ରଖିଥିଲା । ପୋଲିସ ଘଟଣାସ୍ଥଳରୁ ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୪ ଜଣ ଛୋଟ ପିଲା ଥିବା ଜଣାପଡିଛି । ସମସ୍ତଙ୍କ ଘର ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର । ଏହା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କେଉଁଠିକି ଦାଦନ ଶ୍ରମିକଙ୍କୁ ଚାଲାଣ କରାଯାଉଥିଲା ତାର ତନାଘନା ଯାଞ୍ଚ ପୋଲିସ ପକ୍ଷରୁ କରାଯାଉଛି ।