କଟକ: ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ଗୋଷ୍ଠି ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଫଳରେ ଡିସିପିଙ୍କ ସମେତ ୯ ଜଣ ଆହତ। ସମସ୍ତ ଗୁରୁତରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ତେବେ ଗଣ୍ଡଗୋଳକୁ ଆୟତ କରିବା ପାଇଁ ପୋଲିସର ଲାଠି ଚାର୍ଜ। ତେବେ ନାରାବାଜିକୁ ନେଇ ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମାଆଙ୍କ ମେଲାଣି ଶୋଭାଯାତ୍ରା ଚାଲିଥିଲା। ଏଥିରେ କଟକର ସମସ୍ତ ପୂଜା କମିଟି ସାମିଲ ହୋଇଥିଲେ। ଏହି ସମୟରେ ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ନାରାବାଜିକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେହି ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା। କିଛି କ୍ଷଣ ମଧ୍ୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ପରସ୍ପରକୁ ଢେଲା ପଥର ମାରିବା ଆରମ୍ଭ କରିଥିଲେ। ଫଳରେ ଡିସିପିଙ୍କ ସମେତ ୯ ଜଣ ଆହତ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା।