ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଚଳିତ ବାତ୍ୟା ଋତୁର ତୃତୀୟ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’। ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇଛି। ଘଣ୍ଟାପ୍ରତି ପ୍ରାୟ ୧୦ କିଲୋମିଟର ବେଗରେ ଏହା ଆଗକୁ ବଢ଼ୁଛି। ବର୍ତ୍ତମାନ ଏହା ବିଶାଖାପାଟଣାଠାରୁ ପ୍ରାୟ ୬୭୦ କିଲୋମିଟର ଏବଂ ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ପ୍ରାୟ ୭୯୦ କିଲୋମିଟର ଦୂରରେ ରହିଛି।
ନଭେମ୍ବର ୨୦ରେ ସ୍ଥଳଭାଗ ଛୁଇଁବା ଆକଳନ
ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୦ ତାରିଖ ସକାଳ ପ୍ରାୟ ୧୧ଟା ୩୦ ସମୟରେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ଟୁନି ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ଅତିଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଇଛି।
ତେବେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ବାତ୍ୟାର ଗତିପଥ ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିବାରୁ ଓଡ଼ିଶା ଉପରେ ଏହାର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହିପାରେ।
ଓଡ଼ିଶାର କେଉଁ ଜିଲ୍ଲାରେ ହେବ ବର୍ଷା ?
ବାତ୍ୟାଟି ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଚ୍ଛଲିପଟ୍ଟନମ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଲେ ଏହାର ପ୍ରମୁଖ ପ୍ରଭାବ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିପାରେ। ତେବେ ବାତ୍ୟାର ପ୍ରଭାବରେ ସୃଷ୍ଟି ହେଉଥିବା ମେଘମାଳା ଉତ୍ତର ଦିଗକୁ ପ୍ରାୟ ୩୫୦ରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇପାରେ। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ଆଶଙ୍କା ରହିଛି।
ଗଞ୍ଜାମ ଓ ଗଜପତି: ନଭେମ୍ବର ୧୯ ଓ ୨୦ ତାରିଖରେ ଆକାଶ ମେଘୁଆ ରହିବା ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ରାୟଗଡ଼ା, କୋରାପୁଟ ଓ ମାଲକାନଗିରି: ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।
ପୁରୀ, ଖୋର୍ଦ୍ଧା ଓ ଅନ୍ୟ ଉପକୂଳ ଜିଲ୍ଲା: ଆକାଶ ମେଘୁଆ ରହିବା ସହ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ।