ସାକ୍ରାମେଣ୍ଟୋ: ବିଦେଶ ମାଟିରେ ବି ମନରେ ଓଡ଼ିଶା। ହଜାର ହଜାର ମାଇଲ ଦୂରରେ ରହି ମଧ୍ୟ ନିଜ ମାଟି, ଭାଷା ଓ ସଂସ୍କୃତିକୁ ଭୁଲିନାହାନ୍ତି ପ୍ରବାସୀ ଓଡ଼ିଆ। ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସାକ୍ରାମେଣ୍ଟୋରେ ଏକାଠି ହୋଇ ଧୁମ୍ଧାମରେ ଦୀପାବଳି ପାଳନ କରିଛନ୍ତି ଓଡ଼ିଆ ସମୁଦାୟ।
ପାରମ୍ପରିକ ଦୀପର ଆଲୋକ, ରଙ୍ଗୋଲିର ସୁନ୍ଦର ସଜ୍ଜା ଓ ଓଡ଼ିଆ ପୋଷାକରେ ସଜ୍ଜିତ ଲୋକଙ୍କ ଉପସ୍ଥିତି ଉତ୍ସବକୁ ଆହୁରି ରଙ୍ଗିନ କରିଥିଲା। ହସଖୁସି, ବନ୍ଧୁମିଳନ ଓ ଓଡ଼ିଆ ପରମ୍ପରାର ଝଲକରେ ମୁଖରିତ ହୋଇଥିଲା ପରିବେଶ।
ଉତ୍ସବରେ ଓଡ଼ିଆ ସଙ୍ଗୀତ, ଆକର୍ଷଣୀୟ ନୃତ୍ୟ ପରିବେଷଣ ସହ ଘର ତିଆରି ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ଆସର ଜମିଥିଲା। ପରଦେଶରେ ଥାଇ ମଧ୍ୟ ନିଜ ମାଟିର ପର୍ବକୁ ନିଜ ଲୋକଙ୍କ ସହ ପାଳନ କରିବାର ଆନନ୍ଦ ସମସ୍ତଙ୍କ ମନରେ ଭରିଦେଇଥିଲା ଖୁସି।
ତେବେ ଏହି ଉତ୍ସବ କେବଳ ଦୀପାବଳି ପାଳନରେ ସୀମିତ ନଥିଲା। ବରଂ ନୂଆ ପିଢ଼ିକୁ ନିଜ ଭାଷା, ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବାର ଏକ ସୁନ୍ଦର ପ୍ରୟାସ ଥିଲା। ବରିଷ୍ଠଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମିଳନ ଉତ୍ସବରେ ସାମିଲ ହୋଇଥିଲେ।
ଆଲୋକର ପର୍ବ ଦୀପାବଳି ଅନ୍ଧକାର ଉପରେ ଆଲୋକ, ଅସତ୍ୟ ଉପରେ ସତ୍ୟ ଓ ନିରାଶା ଉପରେ ଆଶାର ବିଜୟର ବାର୍ତ୍ତା ଦିଏ। ସାକ୍ରାମେଣ୍ଟୋର ଏହି ଆୟୋଜନ ମଧ୍ୟ ଏକତା, ଭାଇଚାରା ଓ ଓଡ଼ିଆ ଅସ୍ମିତାର ଏକ ସୁନ୍ଦର ଉଦାହରଣ ପାଲଟିଛି।
ସତରେ, ଓଡ଼ିଶାଠାରୁ ଦୂରରେ ରହିଲେ ବି ଓଡ଼ିଆଙ୍କ ହୃଦୟରେ ଜୀବନ୍ତ ରହିଛି ନିଜ ମାଟିର ଭାଷା, ସଂସ୍କୃତି ଓ ପରମ୍ପରା। ଯେଉଁଠି ଓଡ଼ିଆ ଏକାଠି ହୁଅନ୍ତି, ସେଇଠି ଗଢ଼ିଉଠେ ଏକ ଛୋଟ ଓଡ଼ିଶା।