ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ଟିକେ ଉପରକୁ ଉଠିଥିବା କଂଗ୍ରେସ ପ୍ରଥମ ଗୋଟି ଖେଳିଛି । ବିଜେପି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ୧୫ ଜଣିଆ ସଦସ୍ୟ ଦସ୍ତଖସ୍ତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ବିଧାନସଭା ବାଚସ୍ପତିଙ୍କ ଜରିଆରେ ପ୍ରଦାନ କରାଯାଇଛି । ତେବେ ଏହି ଅନାସ୍ଥା କାର୍ଯ୍ୟକାରୀ ହେବ ନା କାଟ୍ ଖାଇବ ତାହା ସ୍ପଷ୍ଟ ହୋଇସାରିଛି । କଂଗ୍ରେସର ଗୋଟି ଚାଳନା ବେକାରେ ଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । କାରଣ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିରୋଧି ଦଳ ବହୁ ପଛରେ ରହିଛି ।
ଯଦି ଭଲଭାଲେ ଆସନ ସଂଖ୍ୟାକୁ ଦେଖିବାକୁ ତାହା ହେଲେ ଏଥିରୁ ସ୍ପଷ୍ଟ ଏହି ଅନାସ୍ଥା ସରକାରୀ ଦଳ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଓଡ଼ିଶା ବିଧାନସଭାରେ ଆସନ ସଂଖ୍ୟା ହେଉଛି ୧୪୭ । ସରକାର ଗଢ଼ିବା ପାଇଁ ୭୪ ଆସନର ସଂଖ୍ୟା ଗରିଷ୍ଠତା ଆବଶ୍ୟକ, ଯେଉଁଥିରୁ ବିଜେପି ପାଖରେ ୭୮ଟି ଆସନ ରହିଛି । ସେହିପରି ମୁଖ୍ୟ ବିରୋଧୀ ଦଳ ପାଇଁ ୫୦ ଆସନର ଆବଶ୍ୟକତା ଥିବାବେଳେ ବିଜେଡ଼ି ଏହି ସଂଖ୍ୟା ଛୁଇଁ ଏହି ଆସନ ଅକ୍ତିଆର କରିଛି । କିନ୍ତୁ ଅନାସ୍ଥା ଆଣିଥିବା କଂଗ୍ରେସ ପାଖରେ ମାତ୍ର ୧୪ ବିଧାୟକ ରହିଛନ୍ତି । କଂଗ୍ରେସକୁ ଜଣେ ମାତ୍ର ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଛନ୍ତି । ଯଦି ବିଜେଡ଼ି ମଧ୍ୟ ସମର୍ଥନ କରେ ତଥାପି ବିରୋଧୀ ସରକାର ଗଢ଼ିବାକୁ ଥିବା ମ୍ୟାଜିକ୍ ନମ୍ବର ୭୪କୁ ଛୁଇଁ ଛୁଇଁ ପାରିବେ ନାହିଁ । କାରଣ କଂଗ୍ରେସ ୧୪ ବିଧାୟକ, ସିପିଆଇଏମର ୧ ଏବଂ ବିଜେଡ଼ିର ୫୦ ବିଧାୟକ ମିଶିଲେ ମାତ୍ର ୬୫ ହେଉଛି । ତେଣୁ ଏ ଅନାସ୍ଥା କାଟ୍ ଖାଇବା ସହିତ ସରକାର ଗଢ଼ିବା ସମ୍ଭବ ନୁହେଁ ତାହାର ଚିତ୍ର ସ୍ପଷ୍ଟ ।
ସଂଖ୍ୟା ଗରିଷ୍ଠତା ନ ଥାଇ କଂଗ୍ରେସର ଏଭଳି ପ୍ରୟାସକୁ ଏକ ପିଲାଳିଆମୀ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ କହିଛନ୍ତି । କଂଗ୍ରେସ ନିଜକୁ ଏକ ପ୍ରମୁଖ ବିରୋଧୀ ଦଳ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଥିବା ମଧ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।