କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମାଆ ମନ୍ଦିରଠାରୁ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ଜିଲ୍ଲା କୃଷି ରଥ ଓ ରାଜସ୍ଵ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ । କେନ୍ଦ୍ରାପଡ଼ା ଅଂଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ । ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍ଘାଟନ ହେବା ପାଇଁ ଯାଉଛି । ସେହିପରି କେନ୍ଦ୍ରାପଡ଼ାଠାରେ ମେଡିକାଲ କଲେଜ ସ୍ଥାପନ ଓ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧ ରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ।
ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହି ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଚୋରା ବାଲି ଚାଲାଣ, ଆଇନ ଶୃଙ୍ଖଳା ଓ ସରକାରୀ କର୍ମଚାରୀ ଅଭାବ ଭଳି ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସମୀକ୍ଷା ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ , ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଓ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।