ଦେଶର ରାଜଧାନୀ ନୂଆଦିଲ୍ଲୀରେ 'ଓଡ଼ିଶା ଭବନ'ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନର ଶିଳାନ୍ୟାସ ହୋଇଛି। ଏହି ନୂତନ ଭବନର ନିର୍ମାଣ ଶୈଳୀରେ ପ୍ରତିଫଳିତ ହେବ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ଝଲକ। ଏଥିପାଇଁ ମୋଟ ୯୩.୨୭ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୩ଟି ବେସ୍ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ୬ଟି ମହଲା ରହିବ। ସମସ୍ତ ଅତ୍ୟାଧୁନିକ ସୁବିଧା ସହ ୪୫ଟି ସୁଇଟ୍ ବ୍ୟବସ୍ଥା କରାଯିବ। ପ୍ରଥମ ମହଲାରେ ଏକ ଏକ୍ଜିବିସନ୍ ଏରିଆ ଏବଂ ଦ୍ୱିତୀୟ ମହଲାରେ ପ୍ରାୟ ୭୦ ଆସନ ବିଶିଷ୍ଟ କନ୍ଫରେନ୍ସ ହଲ୍ ରହିବ। ପୂର୍ବରୁ ଥିବା ଭବନଟି ପୁରୁଣା ହୋଇଯାଇଥିବା ସହ ସ୍ଥାନ ଓ ସୁବିଧାର ଅଭାବ ଥିବାରୁ ବର୍ତ୍ତମାନର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନୂଆ ଭବନ ନିର୍ମାଣ କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଭବନ ନିର୍ମାଣ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଖୁବ୍ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଆଗାମୀ ଦିନରେ ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ଓଡ଼ିଶା ଭବନ ନିର୍ମାଣ ହେବ। ଏଥିପାଇଁ ସଂପୃକ୍ତ ରାଜ୍ୟମାନଙ୍କୁ ଜମି ମଗାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ଓଡ଼ିଶା ଭବନ କାର୍ଯ୍ୟକ୍ଷମ ଅଛି। ଜନସାଧାରଣଙ୍କ ସୁବିଧା ପାଇଁ ମୁମ୍ବାଇରେ ଆଉ ଏକ ଭବନ ନିର୍ମାଣର ପ୍ରସ୍ତାବ ରହିଛି। ଏହି ସବୁ ଭବନ ଓ ସଦନ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ ସୃଷ୍ଟି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଆଗରୁ ଥିବା ଓଡ଼ିଶା ଭବନ କିଛି ବର୍ଷ ହେଲା ଅସୁରକ୍ଷିତ ଥିବାରୁ ଏହାର ପୁନଃନିର୍ମାଣର ଆବଶ୍ୟକ ଥିଲା।୨୦୨୫ରେ ପୁରୁଣା ଓଡ଼ିଶା ଭବନକୁ ଭଙ୍ଗଯାଇଥିଲା। ଭଙ୍ଗାଯିବାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ଫଳରେ ଓଡିଶାରୁ ଯାଉଥିବା ନେତା, ମନ୍ତ୍ରୀ ଓ ଭିଆଇପି ଅଶୋକା ହୋଟେଲରେ ଯାଇ ରହୁଥିଲେ।
ଅଧିକ ପଢନ୍ତୁ: ମାର୍ଚ୍ଚ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ; ଗଣତି ମଣତି ପାଇଁ ଧାର୍ଯ୍ୟ ହେବ ତାରିଖ