କଟକ: ଆଶା କର୍ମୀଙ୍କ ଅଭିନବ ପ୍ରତିବାଦ । ଦରମା ନ ମିଳିବାରୁ ମେଡ଼ିକାଲ ଉପରେ ରାଗ ସୁଝାଇଛନ୍ତି । ମେଡିକାଲରେ ତାଲା ପକାଇ ଆଶାକର୍ମୀମାନେ ଧାରଣାରେ ବସିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତ ୪ ମାସ ହେଲା ଆଶାକର୍ମୀଙ୍କୁ ସେମାନଙ୍କର ଦରମା ମିଳି ନାହିଁ । ଯେଉଁଥିପାଇଁ ତାତିଛନ୍ତି ଆଶା ଦିଦି । ବୁଧବାର ସକାଳୁ ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନେ ମେଡ଼ିକାଲରେ ତାଲା ପକାଇ ଦେଇଛନ୍ତି । ବକେୟା ଦରମା ଦେବାକୁ ଆଶାକର୍ମୀମାନେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଆଶାକର୍ମୀଙ୍କ ଆନ୍ଦୋଳନ ଯୋଗୁଁ ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ମେଡ଼ିକାଲ ଭିତରେ ରୋଗୀ, ଡାକ୍ତର ଓ ଅନ୍ୟ କର୍ମୀମାନେ ଫସି ରହିଛନ୍ତି । ସେହିପରି ବାହାରୁ କୌଣସି ରୋଗୀ ମଧ୍ୟ ମେଡ଼ିକାଲ ଭିତରକୁ ଯାଇ ପାରୁ ନାହାଁନ୍ତି ।