ଭୁବନେଶ୍ୱର: ଯାହା ସନ୍ଦେହ କରାଯାଉଥିଲା ତାହାହିଁ ହୋଇଛି । ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଆଗାମୀ ଏକ ବର୍ଷ ଯାଏଁ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିଛି । କ୍ୟାବିନେଟର ନିଯୁକ୍ତି କମିଟି ୨୦୨୫, ଜାନୁୟାରୀ ୧ରୁ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ପାଇଁ ବଢ଼ାଇଛନ୍ତି ।
୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ଚଳିତ ବର୍ଷ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଥିଲା । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଆସିବା ପରେ ଜୁଲାଇ ୧ରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ମିଳିଥିଲା । ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୭ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ମନୋଜ ଆହୁଜାଙ୍କର ମାତ୍ର ୬ ମାସ କାର୍ଯ୍ୟକାଳ ଥିବା ସତ୍ୱେ ତାଙ୍କୁ ଏହି ପଦ ମିଳିଥିଲା । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ମାତ୍ର ଏହା ପୂର୍ବରୁ ଆହୁଜାଙ୍କ କାର୍ଯ୍ୟକାଳକୁ ଆଗାମୀ ଏକ ବର୍ଷ ପାଇଁ ବଢ଼ାଇ ଦିଆଯାଇଛି ।
୩୪ ବର୍ଷର ଚାକିରି କାର୍ଯ୍ୟକାଳ ମଧ୍ୟରେ ମନୋଜ ଆହୁଜା ଜଣେ ଦକ୍ଷ ଅଧିକାରୀ । ବିଜେପି ସରକାରରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗାମୀ ଦିନରେ ମଧ୍ୟ ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆଦି ରହିଛି । ତେଣୁ ତାଙ୍କର ଭୂମିକା ଏଥିରେ ବେଶ ଗୁରୁତ୍ୱ ବହନ କରୁଛି ।
ମନୋଜ ଆହୁଜା ପଟିଆଲା ଥାପର ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ । ଏହା ସହିତ ଆମେରିକାର ଆବାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡିମିନିଷ୍ଟ୍ରେସନରେ ମାଷ୍ଟର୍ସ ମଧ୍ୟ କରିଛନ୍ତି ।