ସୋନପୁର: ଧନୁ ଯାତ୍ରା ହୋଇଛି ଶେଷ ଯାତ୍ରା । ଧନୁ ଯାତ୍ରା ଦେଖି ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ବିନିକା- ରାମପୁର କଟାପାଲି ଛକ ନିକଟରେ । ମୃତକ ଜଣକ ହେଲେ ଡ଼ୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବହୁବସା ଗ୍ରାମର କୃଷ୍ଣ ତାଣ୍ଡି (୨୫) । ଆହତ ଜଣକ ହେଲେ ନରେଶ ବାରିକ(୨୪) । ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ, ଗତ କାଲି ବିଳମ୍ବିତ ରାତିରେ ଡ଼ୁଙ୍ଗୁରିପାଲି ଥାନା ବହୁବସା ଗ୍ରାମର କୃଷ୍ଣ ତାଣ୍ଡି ଓ ନରେଶ ବାରିକ ବିନିକା ଥାନା କମିରା ଗ୍ରାମକୁ ଧନୁଯାତ୍ରା ଦେଖିବାକୁ ଯାଇଥିଲେ । ଧନୁଯାତ୍ରା ଦେଖି ବାଇକରେ ଘରକୁ ଫେରୁଥିବାବେଳେ ବିନିକା–ରାମପୁର କଟାପାଲି ଛକ ନିକଟରେ ସେମାନେ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କ ପଛେ ପଛେ ଆସୁଥିବା ଆଉ ଜଣେ ବାଇକ ଆରୋହୀ ଉଭୟଙ୍କୁ ରାସ୍ତା ଉପରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।
ଆମ୍ବୁଲାନ୍ସରେ ଉଭୟଙ୍କୁ ବିନିକା ମେଡ଼ିକାଲକୁ ଆଣିଥିଲେ । ତେବେ ଡାକ୍ତର କୃଷ୍ଣ ତାଣ୍ଡିଙ୍କୁ ମୃତ ଘୋଷଣା କରିଛନ୍ତି । ନରେଶଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବିନିକା ପୋଲିସ ମେଡ଼ିକାଲରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।