ଭୁବନେଶ୍ୱର : ପୁଣି ବଢିବ ତାପମାତ୍ରା। କଲବଲ କରିବ ତାତି। ସାମାନ୍ୟ ଆଶ୍ବସ୍ତି ପରେ କାଲିଠୁ ପୁଣି ଚିନ୍ତା ବଢାଇବ ତାତି। ତେବେ ତାପମାତ୍ରା ୬ ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି କିଛି କିଛି ସ୍ଥାନରେ ବର୍ଷା ହେବା ସହ ଅନ୍ୟ କିଛି ସ୍ଥାନରେ ପାଗ ଶୁଖିଲା ରହିବ। ତେବେ କାଳବୈଶାଖୀ ପରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରେ କିଛି ଅଞ୍ଚଳକୁ ଛାଡିଦେଲେ ଅବଶିଷ୍ଟ ରାଜ୍ୟରେ ପାଗ ଶୁଖିଲା ରହିବ।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁରର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ପଶ୍ଚିମା ଝଡ଼ ଅପସରି ଯାଇଥିବାରୁ ଆଜିଠୁ ପାରଦ ଉପରମୁହାଁ ହେବ। ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଫଳରେ ଦିନ ଓ ରାତିରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପୁଣି ତାପମାତ୍ରା ବଢିବା ଏକ ବଡ ଚିନ୍ତାର କାରଣ ପାଲଟିଛି।