ଭୁୁବନେଶ୍ୱର: ଓଡିଶାରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଜନ୍ମ ଦିନରେ ଓଡିଶା ଗସ୍ତ କରି ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହକୁ ସମ୍ଭୋଧିତ କରିଛନ୍ତି । ସେ କହିଛନ୍ତି, ଆଜି ଏନଡିଏ ସରକାରର ତୃତୀୟ ପାଳିର ଶହେ ଦିନ । ଚାଷୀ, ମହିଳା, ଗରିବଙ୍କ ବିକାଶ ପାଇଁ ବଡ ବଡ ନିଷ୍ପତ୍ତି ନିଆଯାଇଛି । ଗରିବଙ୍କୁ ପକ୍କା ଘର, ଯୁବକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଓଡିଶା ସହ ଅନ୍ୟ ରାଜ୍ୟରେ ୭୫ ହଜାର ମେଡିକାଲ୍ ସିଟ୍ ଯୋଡାଯିବ । ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଜାତୀୟ ବଜେଟରେ ୨ ଗୁଣା ବୃଦ୍ଧି କରାଯାଇଛି । ବିଗତ ୧୦୦ ଦିନରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଚାଷୀମାନଙ୍କ ପାଇଁ ବି ବିଗତ ଶହେ ଦିନରେ ବଡ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରପ୍ତାନୀ ଶୁଳ୍କ ହ୍ରାସ କରାଯାଇଛି । ବିଭିନ୍ନ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଯାଇଛି । ମହିଳାଙ୍କ ଉନ୍ନତି ଓଡିଶା ବିକାଶର ମୂଳମନ୍ତ୍ର ହେବାକୁ ଯାଉଛି । ସୁଭଦ୍ରା ଯୋଜନାର ଲାଭ ଓଡିଶାର ଏକ କୋଟିରୁ ଅଧିକ ମହିଳାଙ୍କୁ ମିଳିବ । ସୁଭଦ୍ରା ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରିବ ।
ମୋଦୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା।
ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହେବ ଓ ରତ୍ନ ଭଣ୍ଡାର ଖୋଲାହେବ ବୋଲି ପ୍ରତିଶ୍ରୁତି ଦେଇଥୁଲୁ। ଓଡ଼ିଶାରେ ସରକାର ଗଠନ ହେଉ ହେଉ ଆମେ ପ୍ରତିଶ୍ରୁତି ପୂରଣ କରିବାକୁ ଲାଗିପଡ଼ିଛୁ। ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହୋଇଥିବା ବେଳେ ରତ୍ନ ଭଣ୍ଡାର ବି ଖୋଲା ଯାଇଛି। ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଛି ବୋଲି କହିଛନ୍ତି ମୋଦୀ।
ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୂର ହୋଇରହିଥିବା ବେଳେ ଏଠାରେ କ’ଣ ନାହିଁ ବୋଲି ପଚାରିଛନ୍ତି ମୋଦୀ। ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି। ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ୩ ଗୁଣ ମିଳୁଛି। ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ। ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ। ମୋଦୀ ତା ଗ୍ୟାରେଣ୍ଟି ପୂରା କରି ଦେଖାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।