ସମ୍ବଲପୁର: ସରକାରଙ୍କ ବ୍ରଏଲର କୁକୁଡ଼ା ଚାଷ ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ପଶୁଚିକିତ୍ସା ଅଧିକାରୀ ଡକ୍ଟର ସୁଭ ପ୍ରକାଶ ସୋରେନ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମହେଶ୍ୱର ସାହୁଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଅଭିଯୋଗକାରୀ ଜଣକ ସରକାରଙ୍କ ବ୍ରଏଲର କୁକୁଡ଼ା ଚାଷ ଯୋଜନା ଅଧୀନରେ ଏପ୍ରିଲ ୨୦୨୫ ରେ ବ୍ରଏଲର ଫାର୍ମ ନିର୍ମାଣ କରିସାରିଥିଲେ। ଏଥିପାଇଁ ମୋଟ ସବସିଡି ଟଙ୍କା ୯୦ ହଜାର ପାଇବାକୁ ଯୋଗ୍ୟ ଥିଲେ। ତେବେ ଏପ୍ରିଲ୍ ୨୦୨୫ ମସିହାରୁ ଅଭିଯୋଗକାରୀ ଡକ୍ଟର ସୋରେନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରି ଆସୁଥିଲେ। କିନ୍ତୁ ଡକ୍ଟର ସୋରେନ ସବସିଡି ରାଶି ପ୍ରଦାନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ।
ତେବେ ଅନ୍ୟ କୌଣସି ବିକଳ୍ପ ନପାଇ, ଅଭିଯୋଗକାରୀ ଟୋଲଫ୍ରି ନମ୍ବର- ୧୦୬୪ରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଅନ୍ୟପକ୍ଷରେ ସେହି ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭିଯୁକ୍ତ ଡକ୍ଟର ଶୁଭ ପ୍ରକାଶ ସୋରେନ ଏବଂ ମହେଶ୍ୱର ସାହୁଙ୍କୁ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ନେବା ଅଭିଯୋଗରେ ଗିରଫ କରାଯାଇଥିଲା । ଏଥିସହ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କାକୁ ମଧ୍ୟ ଉଦ୍ଧାର କରାଯାଇଥିଲା।