ପାରାଦ୍ୱୀପ: ବିଜେଡିର ପ୍ରତିଷ୍ଠା ଦିବସ ପାଳନକୁ ନେଇ ପାରାଦ୍ଵୀପରେ ଦେଖିବାକୁ ମିଳିଛି ଫାଟ। ବିଜେଡ଼ିର ଦୁଇଟି ଗୋଷ୍ଠି ପୃଥକ ପୃଥକ ଭାବେ ଦଳର ପ୍ରତିଷ୍ଠା ଦିବସକୁ ପାଳନ କରିଛନ୍ତି। ବିଜେଡ଼ିର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅଠରବାଙ୍କି ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ ଶତାଧିକ ଲୋକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆୟୋଜିତ ସମାବେଶରେ ବିଜେଡ଼ି ନଗର ସଭାପତି ତଥା ପୈାରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ସଭା, ଯେଉଁଥିରେ ବହୁ ସଂଖ୍ୟକ ବିଜେଡି କର୍ମୀ ଓ ମହିଳା ସାମିଲ ହୋଇଥିଲେ ।
ସେହିପରି ପାରାଦ୍ଵୀପ ନୂଆବଜାର ସ୍ଥିତ ବିଜେଡି କାର୍ୟ୍ୟାଳୟରେ ଆଉ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର, ଉପସଭାପତି ଜ୍ୟୋତିକାନ୍ତ ପରିଡା, ବିଜେଡି ନଗର ଉପସଭାପତି କୁମର ନାୟକଙ୍କ ନେତୃତ୍ବରେ ହୋଇଥିଲା ଏହି ସମାବେଶ । ଏଥିରେ ବିଜେଡିର ବରିଷ୍ଠ ନେତା କୈଳାସ ସାହୁ, ସୁଶିଲ ମହାପାତ୍ର ପ୍ରମୁଖ ଯୋଗଦେଇ ଦଳର ଆଭିମୁଖ୍ୟ ଏବଂ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ସମ୍ପର୍କରେ କହିଛନ୍ତି । ତେବେ ଦୁଇଟି ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଦୁଇଟି ପୃଥକ ପୃଥକ ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଉଭୟ ଗୋଷ୍ଠୀ । ସେପଟେ ସଂଗଠନ ଯେତେ ଅଧିକ ହେବ ଦଳ ସେତେ ସୁଦୃଢ ହେବ ଏବଂ ଏଥିରେ କୈାଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପାରାଦ୍ୱୀପ ପୈାରାଧ୍ୟକ୍ଷ ବସନ୍ତ ବିଶ୍ବାଳ।