ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ପାଇଁ ବଢିଲା ଅଡୁଆ। ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଓ ମାମଲା ଖାରଜ ଆବେଦନର ଶୁଣାଣିକୁ ଆଗାମୀ ନଭେମ୍ବର ୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ଚୌଦ୍ୱାର ସର୍କଲ ଜେଲ୍ ରେ ଜଣେ ପୂର୍ବତନ ମହିଳା ଜେଲରଙ୍କ ଦ୍ୱାରା ଅଣାଯାଇଥିବା ଯୌନ ନିର୍ଯାତନା ଏବଂ ଅପରାଧିକ ଧମକ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ପରେ ଗିରଫଦାରୀରୁ ବଞ୍ଚିବା ପାଇଁ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୬ ତାରିଖ ଧାର୍ଯ୍ୟ କରିଛନ୍ତି। ସେହିଦିନ ଅନ୍ତରୀଣ ସୁରକ୍ଷା ଏବଂ ଏଫ୍ଆଇଆର୍ ଖାରଜ ଆବେଦନର ମିଳିତ ଶୁଣାଣି କରାଯିବ। ସୁଶାନ୍ତ ନାଥଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରା ଅନୁଯାୟୀ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି।
ତେବେ ଏହି ଅଭିଯୋଗ ସାମନାକୁ ଆସିବା ପରେ ରାଜ୍ୟ ସରକାର ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି।
ଏହି ମାମଲାରେ ମଧ୍ୟସ୍ଥି ସାଜିଥିବା ଅଭିଯୋଗ ହୋଇଥିବା ତାଙ୍କ ସହଯୋଗୀ କୁଳଦୀପ ରଥ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି, ଯାହାର ଶୁଣାଣି କୋର୍ଟ ଡିସେମ୍ବର ୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।
ତେବେ ଏହି ଗୋଟେ ଅଭିଯୋଗ ନୁହେଁ ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଳିକ ମଧ୍ଯ ସୁଶାନ୍ତଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନିଜର ଏକ ଲିଖିତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଜଣେ କଏଦୀଙ୍କୁ ମିଛ ବ୍ରାଉନ ସୁଗାର ମାମଲାରେ ଫସାଇବା ପାଇଁ ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥ ତାଙ୍କ ଉପରେ ଚାପ ପକାଇଥିଲେ। ସେ ଏହି ବେଆଇନ କାମ କରିବାକୁ ମନା କରିବାରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବିତ କରାଯାଇଥିଲା। ଏବେ ପ୍ରଦୀପ୍ତ ନିଜ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଲିଖିତ ନିବେଦନ କରିଛନ୍ତି।