କଟକ : ଦୀର୍ଘ ୪୩ ବର୍ଷର ଆଇନଗତ ଲଢ଼େଇ ପରେ କଟକର ଜଗତପୁର ଅଞ୍ଚଳରେ ଥିବା ପ୍ରାୟ ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସରକାରୀ ଜମି ପୁଣିଥରେ ସରକାରୀ ଖାତାକୁ ଫେରିଆସିଛି। ଓଡ଼ିଶା ରାଜସ୍ୱ ପରିଷଦ ଏହି ଜମି ଉପରେ ଜଣେ ବ୍ୟକ୍ତିଗତ ଦାବିଦାରଙ୍କ ଆବେଦନକୁ ଖାରଜ କରି ଏହି ଐତିହାସିକ ରାୟ ଶୁଣାଇଛନ୍ତି। କେଏମ୍ସି ଖାତାକୁ ଜମି ଫେରିଥିବା ନେଇ କଟକ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।
କଟକ ମହାନଗର ନିଗମ (KMC) ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ୱାର ତହସିଲର ଜଗତପୁର ଗୋଲେଇ ଛକ ନିକଟ ତରୋଳ ମୌଜାରେ ଏହି ୬୨.୭୨ ଏକର ମୂଲ୍ୟବାନ ସରକାରୀ ଜମି ରହିଛି, ଯାହାର ବର୍ତ୍ତମାନର ମୂଲ୍ୟ ୮୦୦ କୋଟି ଟଙ୍କାରୁ ଅଧିକ ହେବ। ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ବ୍ୟକ୍ତିଗତ ମାଲିକାନା ଦାବିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଛନ୍ତି। ଏଥିସହ ଏହି ଜମିକୁ ସରକାରୀ ରେକର୍ଡରେ 'ଆବାଦ ଯୋଗ୍ୟ ଅନାବାଦୀ' ଭାବେ ବଜାୟ ରଖିବାକୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଜମି ବିବାଦ ୧୯୮୩ ମସିହାରୁ ଆରମ୍ଭ ହୋଇଥିଲା। ଆବେଦନକାରୀମାନେ ୧୯୪୫ ମସିହାର ଏକ ପଞ୍ଜୀକୃତ ଲିଜ୍ ଆଧାରରେ ଜମି ଉପରେ ନିଜର ସ୍ଥାୟୀ ଅଧିକାର ଦାବି କରୁଥିଲେ। କିନ୍ତୁ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଲିଜ୍ ପ୍ରଦାନ କରିଥିବା ତତ୍କାଳୀନ ଜମିଦାରଙ୍କ ଜମି ଉପରେ କେବଳ ଉପଭୋଗ ଅଧିକାର ଥିଲା, ସ୍ଥାୟୀ ମାଲିକାନା ହସ୍ତାନ୍ତର କରିବାର କୌଣସି ଅଧିକାର ନଥିଲା। ୧୯୫୪ ମସିହା ଜମିଦାରୀ ଉଚ୍ଛେଦ ପରେ ଏହି ସମ୍ପତ୍ତି ସରକାରଙ୍କ ଅଧୀନକୁ ଚାଲିଯାଇଥିଲା।
ତେବେ ରାୟ ପ୍ରକାଶ ପାଇବା ପରେ କଟକ ଜିଲ୍ଲା ପ୍ରଶାସନ ତରଫରୁ ତହସିଲଦାର ଘଟଣାସ୍ଥଳକୁ ଯାଇ ଜମିକୁ ନିଜ ଦଖଲକୁ ନେବା ସହ ସେଠାରେ ସରକାରୀ ନୋଟିସ ବୋର୍ଡ ଲଗାଇ ଦେଇଛନ୍ତି। ଆଗାମୀ ଦିନରେ ଏହି ଜମିକୁ ବିଭିନ୍ନ ଜନକଲ୍ୟାଣକାରୀ ଓ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ବ୍ୟବହାର କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।