ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତି ଏବଂ ଏହାଦ୍ୱାରା ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ କରିଛି କେନ୍ଦ୍ରୀୟ ପ୍ରତିନିଧି ଦଳ। ଆଠଜଣିଆ ଅନ୍ତଃମନ୍ତ୍ରାଳୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛି। ପ୍ରାଥମିକ ଆକଳନ ଅନୁସାରେ, ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷତି ହୋଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲା। ପୁରୁଷୋତ୍ତମପୁର ବ୍ଲକର ଆଚୁଲି, ହାଣ୍ଡିଘର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପର ସ୍ଥିତି ଯାଞ୍ଚ କରିଥିବା ବେଳେ ହିଞ୍ଜିଳି ବ୍ଲକର ଘୋଡ଼ାହାଡ଼ ପୋଲ ଏବଂ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ମଧ୍ୟ ଦେଖିଥିଲେ।
ସେହିପରି ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକର ଜାହାଡ଼ା ଗ୍ରାମ ଏବଂ ଜାନିବିଲି ଆନିକଟ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଚାଷ ଜମିରେ ବାଲି ଜମିବା, ନଦୀବନ୍ଧ ଭାଙ୍ଗିବା, ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବା ଭଳି ସମସ୍ୟାର ଅନୁଧ୍ୟାନ କରାଯାଇଥିଲା।
ଏଥିସହ ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମି, ଘରଦ୍ୱାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା କ୍ଷତିର ବିବରଣୀ ଟିମ୍ ସଂଗ୍ରହ କରିଥିଲା। ବନ୍ୟା ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ମଧ୍ୟ ତଥ୍ୟ ନେଇଥିଲେ। ଚାଷ ଜମିକୁ ଯାଇ ଫସଲ କ୍ଷୟକ୍ଷତିର ଆକଳନ କରିବା ସହ ଆବଶ୍ୟକୀୟ ନମୁନା ସଂଗ୍ରହ କରିଥିଲେ।
ଏହା ପୂର୍ବରୁ ଗୋପାଳପୁର ସର୍କିଟ୍ ହାଉସରେ କେନ୍ଦ୍ରୀୟ ଟିମ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ସମ୍ପର୍କରେ ଟିମ୍କୁ ଅବଗତ କରାଇଥିଲେ।
ବିଭାଗୱାରୀ କ୍ଷୟକ୍ଷତିର ତଥ୍ୟ ସହ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏବେ କେନ୍ଦ୍ରୀୟ ଟିମ୍ର ଏହି କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାର କ୍ଷୟକ୍ଷତିର ବିସ୍ତୃତ ଚିତ୍ର ସାମ୍ନାକୁ ଆସିବା ସହ ସହାୟତା ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ନଜର ରହିଛି।