ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି। ପଞ୍ଚୁକର ଚତୁର୍ଥ ଦିବସରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି। ଇନ୍ଦ୍ରଦ୍ୟୁମ୍ନ ମହାରାଜା ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ତେଣୁ ସେହି ସ୍ମୃତିରେ କାର୍ତ୍ତିକ ମାସର ଏହି ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିହଂ ବେଶ ଅନୁଷ୍ଠିତ ହୋଇଥାଏ।
ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି। ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥାନ୍ତି । ବଡଠାକୁର ମଧ୍ୟ ସୁବର୍ଣ୍ଣର ହଳ ମୂଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରୁପାର ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ଼ ବାଗିଆ ଲଗାଯାଇଥାଏ।ତେଣୁ ଏହି ବେଶକୁ ଡ଼ାଳିକିଆ ବେଶ ମଧ୍ୟ କୁହାଯାଏ।
ଏଥିସହ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଧାରଣ କରିଥାନ୍ତି । ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୋଇଥିଲେ।
ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲେ । ଦାରୁଦିଅଁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା । ପଞ୍ଚୁକର ଦ୍ବିତୀୟ ଦିନ ବା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିର ରନ୍ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ପଞ୍ଚୁକର ତୃତୀୟ ଦିନରେ ଗତକାଲି ମହାପ୍ରଭୁ ତିବିକ୍ରମ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ସେହିପରି ଆଜି ଅବକାଶ ନୀତି ପରେ ରତ୍ନସିଂହାସନରେ ମହାପ୍ରଭୁ ଲକ୍ଷ୍ମୀନୃସିହଂ ବେଶରେ ଦର୍ଶନ ଦେଉଛନ୍ତି ।
ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ହୋଇଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଅଧିକ ପଢନ୍ତୁ :ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ